Rath Yatra 2025: କେମିତି ପ୍ରସ୍ତୁତ ହୁଏ ମହାପ୍ରଙ୍କୁ ପାଇଁ ପୋଡପିଠା ?
ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଦେବତା ହେଲେ ବି ମଣିଷ ଭଳି ଚଳଣି, ଖାଦ୍ୟପେୟ । ତାଙ୍କୁ ଭୋକ ହୁଏ, ଶୋଷ ହୁଏ, ନିଦ୍ରା ଆସେ । ମଣିଷ ଜୀବନର ଲକ୍ଷଣ ତାଙ୍କ ରୀତିନୀତିରେ ପ୍ରକାଶ ପାଏ । ଏମିତିରେ ତ ନା ତାଙ୍କର ବଡ଼ଖିଆ ଠାକୁର । ଏଥିପାଇଁ ତ ପ୍ରିୟ ଭାବଗ୍ରାହୀଙ୍କ ଭୋଜନ ପାଇଁ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି । ହେଲେ ମାଉସୀ ମା' ହାତ ତିଆରି ପୋଡ ପିଠାରେ କାଳିଆ ସାଆନ୍ତଙ୍କ ଭାରି ଲୋଭ ଥାଏ । ସେଥିପାଇଁ ବାହୁଡ଼ା ଯାତ୍ରା ଦିନ ମାଉସୀ ମା' ପାଖରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିରକୁ ଲେଉଟନ୍ତି ମହାପ୍ରଭୁ ।
କେମିତି ପ୍ରସ୍ତୁତ ହୁଏ ମହାପ୍ରଙ୍କୁ ପାଇଁ ପୋଡପିଠା:
ଏହି ପୋଡ ପିଠା ପ୍ରସ୍ତୁତି ପ୍ରଣାଳୀ ସ୍ଵତନ୍ତ୍ର । ପ୍ରଥମେ ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ । ହାଣ୍ଡି ଉପରେ ଜାଲି ରଖାଯାଏ । ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ । ଗରମ ପାଣିରୁ ନିର୍ଗତ ବାମ୍ଫରେ ଏହି ମିଶ୍ରଣ ସିଝିଥାଏ । ଏହାପରେ ତାହାକୁ ଥଣ୍ଡା କରାଯାଏ । ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧ ଘିଅରେ ଛଣା ଯାଇଥାଏ । ବାହୁଡା ଦିନ ମାଉସୀ ମା' ମନ୍ଦିର ନିକଟରେ ରଥ ଅଟକିବା ସମୟରେ ବିଶ୍ବନିୟନ୍ତାଙ୍କ ପାଖରେ ପୋଡ ପିଠା ଭୋଗ କରାଯାଇଥାଏ ।

ବଡଦାଣ୍ଡ ମଧ୍ୟ ଭାଗରେ ବଳ ଗଣ୍ଡି ଛକ ରହିଛି । ସେଠାରେ ମହାପ୍ରଭୁଙ୍କ ମାଉସୀ ମା' ମନ୍ଦିର ରହିଛି । ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀଙ୍କୁ ସମସ୍ତ ଦେବାଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି । ତେଣୁ ଦେବୀ ଅର୍ଦ୍ଧାସିନି ଜଗତର ନାଥ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ । ବାହୁଡା ସମୟରେ ଶ୍ରୀ ଗୁଣ୍ଡିଚାରୁ ଲେଉଟି ଶ୍ରୀମନ୍ଦିର ଅଭିମୁଖେ ଆସୁଥିବା ମହାପ୍ରଭୁ ବାଟର ମାଉସୀ ମା' ହାତରୁ ପୋଡ ପିଠା ଖାଇ ଫେରନ୍ତି । ଏଥିପାଇଁ ସୁଆଦିଆ ପୋଡ଼ପିଠା ପ୍ରସ୍ତୁତ କରାଯାଉଛି ।












Click it and Unblock the Notifications