Rath Yatra 2024: ଆଜି ପବିତ୍ର ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ଆଜି ପବିତ୍ର ହେରାପଞ୍ଚମୀ I ଶ୍ରୀମନ୍ଦିର ରେ ଏହା ଏକ ବିଶେଷ ଉତ୍ସବ ଭାବରେ ପାଳିତ ହେଇଥାଏ I ଖାଲି ଶ୍ରୀମନ୍ଦିର ନୁହଁ, ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ରଥଯାତ୍ରା ହୁଏ ସେଠାରେ ଏହି ଉତ୍ସବ ପାଳିତ ହୁଏ I ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ଉତ୍ସବ ଅନୁଷ୍ଠିତ ହୁଏ I ଏହି ଉତ୍ସବ କୁ ଲକ୍ଷ୍ମୀ ବିଜୟ ଉତ୍ସବ ମଧ୍ୟ କୁହାଯାଏ I
ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ରାଗ ଜର୍ଜରିତ ମାଆ ମହାଲକ୍ଷ୍ମୀ । ତାଙ୍କୁ ସାଙ୍ଗରେ ନ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା ଚତୁର୍ଦ୍ଧାମୂର୍ତ୍ତୀଙ୍କ ଉପରେ ରାଗରେ ଜର୍ଜରିତ ମାଆ ମହାଲକ୍ଷ୍ମୀ । ସନ୍ଧ୍ୟାଧୂପ ପରେ ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ ଆଦି ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହୋଇଥାଏ ।
ଏହିଦିନ ଶ୍ରୀମନ୍ଦିର ଭଣ୍ଡାରଘରେ ବିଜେ କରିଥିବା ଠାକୁରାଣୀଙ୍କ ମାଜଣା, ବନକଲାଗି, ପାଟ, ଅଳଙ୍କାର ଲାଗି ପରେ ପନ୍ତିଭୋଗ ହୁଏ I ମା ଲକ୍ଷ୍ମୀ ପାଲିଙ୍କିରେ ବସି ସିଂହଦ୍ୱାର ଦେଇ ବଡଦାଣ୍ଡ ବାଟେ ଗୁଣ୍ଡିଚା ଘର ରଥପାଖକୁ ଯାଆନ୍ତି I ଘଣ୍ଟା, କାହାଳି, ଵାଦ୍ୟରେ ସମଗ୍ର ପରିବେଶଟି ମୁଖରିତ ହୁଏ I

ରହସ୍ୟମୟ ନୀତି ହେଉଛି 'ହେରାପଞ୍ଚମୀ'
ତେବେ ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରସପୂର୍ଣ୍ଣ ଓ ରହସ୍ୟମୟ ନୀତି ହେଉଛି 'ହେରାପଞ୍ଚମୀ'। ଏହାର କାହାଣୀ ଅତ୍ୟନ୍ତ ରସପୂର୍ଣ୍ଣ ଓ ରୋଚକ। 'ହେରା'ର ଅର୍ଥ ଅବଲୋକନ ବା ଦର୍ଶନ। ସରଳ ଓଡ଼ିଆରେ 'ଦେଖିବା'। ପ୍ରାଚୀନ ଓଡ଼ିଆ ଭାଷାରେ ମଧ୍ୟ ଏହି ଶବ୍ଦ 'ଦେଖିବା' ଅର୍ଥରେ ପ୍ରଯୁକ୍ତ ହୋଇଛି। କିନ୍ତୁ 'ବାମଦେବ ସଂହିତା'ରେ ବର୍ଣ୍ଣନା ଅଛି- ''ହରଂ ଚ ମନସା କୃତ୍ଵା ହେରେତି ନାମ ଯୋଗତଃ।।'' ଅର୍ଥାତ୍ ହର ବା ଶିବଙ୍କୁ ମନ ମଧ୍ୟରେ ସ୍ମରଣ କରି ଶ୍ରୀଦେବୀ (ଲକ୍ଷ୍ମୀ) ଏହି ଯାତ୍ରା କରିଥିବାରୁ ଏହା 'ହେରାଯାତ୍ରା' ନାମରେ ପରିଚିତ। କିନ୍ତୁ ପ୍ରକୃତ ଅର୍ଥରେ ଏହା 'ହେରା' ବା ଶ୍ରୀଜଗନ୍ନାଥଙ୍କୁ ଦେଖିବା ନିମନ୍ତେ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କର ଏକ ଯାତ୍ରା। ଏହାର ପୃଷ୍ଠଭୂମିରେ ରହିଛି ଶ୍ରୀମନ୍ଦିରରେ ଦାମ୍ପତ୍ୟଲୀଳାର ରୋଚକ ଆଖ୍ୟାନ।
ମା ମହାଲକ୍ଷ୍ମୀଙ୍କ ବିମାନଟି ଜଗମୋହନରୁ ନାକଚଣା ଦୁଆର ଦେଇ ଗଲାବେଳେ ତେନ୍ତୁଳୀଗଛ ମୂଳେ ପୂଜା ବନ୍ଦାପନା ହୁଏ I ଏହା ପରେ ମା ଲକ୍ଷ୍ମୀଙ୍କ ବିମାନ ଶ୍ରୀ ଜଗନ୍ନାଥ ଙ୍କ ରଥପାଖକୁ ନିଆଯାଏ I ସେଠାରେ ମା ରଥ ଭାଙ୍ଗନ୍ତି I ମା ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ଚାଲେ I
ମା ଲକ୍ଷ୍ମୀ ରଥ ଭାଙ୍ଗିବାର କାରଣ ହେଲା ତାଙ୍କୁ ସାଙ୍ଗରେ ନ ନେଇ ମହାପ୍ରଭୁ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି I ତେଣୁ ମା ରାଗରେ ରଥର କିଛି ଅଂଶ ଭାଙ୍ଗି ଦିଅନ୍ତି I ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବୁଲି ଯାଇଥିବାରୁ ଏହା ହେରା ପଞ୍ଚମୀ ଭାବରେ ଖ୍ୟାତ I ହେରା ର ଅର୍ଥ ହେଲା ଦର୍ଶନ କରିବା ବା ଦେଖିବା I ଏହି ଦିନ ମା ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିବାରୁ ଏହିଦିନଟିକୁ ହେରାପଞ୍ଚମୀ କୁହାଯାଏ ବୋଲି ଅନେକଙ୍କ ମତ I
ହେରାପଞ୍ଚମୀ ଉତ୍ସବ ପାଳନ ସମ୍ପର୍କରେ ଏକ ପୌରାଣିକ ଉପାଖ୍ୟାନ ଅଛି I ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥଯାତ୍ରା ଦିନ ଗୁଣ୍ଡିଚା ଘର କୁ ଯାତ୍ରାକରିବା ପରେ ଲକ୍ଷ୍ମୀଙ୍କ ମନରେ ଦୁଃଖ ହେଲା I ନିଜ ମନର ଦୁଃଖ ବା ବ୍ୟଥା କୁ ସେ ମା ବିମଳା ଙ୍କ ପାଖରେ ପ୍ରକାଶ କଲେ I ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଲେ I ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବାକୁ ମା ବିମଳା କହିବାରୁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଠାକୁରଙ୍କ ଦର୍ଶନ ପାଇଁ ଗୁପ୍ତରେ ଗୁଣ୍ଡିଚା ମନ୍ଦିରକୁ ଗଲେ I ମୋହ ଅଂଜନରେ ପ୍ରଭୁଙ୍କୁ ମୁଗ୍ଧ କଲେ I ଯାହାଫଳରେ ପ୍ରତ୍ୟାଗମନ ପାଇଁ ରଥକୁ ଦକ୍ଷିଣାଭିମୁଖ କରାଯିବାକୁ ଆଦେଶ ଦିଆଗଲା I
ଏହି ଉତ୍ସବ ପଛରେ ଯାହାକିଛି ଧାର୍ମିକ ଭାବନା ଥାଉନା କାହିଁକି ସାମାଜିକ ଭାବ କିନ୍ତୁ ଏଥିରେ ନିବିଡ ଭାବରେ ରହିଛି I ସ୍ୱାମୀସ୍ତ୍ରୀ ଭାବରେ ଏମିତି ମନ ଫଟାଫଟି, ରାଗ-ଅଭିମାନ ହୁଏ I ଏହା ସ୍ୱାଭାବିକ I ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ ଭଉଣୀକୁ ଯାତ୍ରାକୁ ନେଲେ ସ୍ତ୍ରୀ ବିରକ୍ତ ହେବା ସ୍ୱାଭାବିକ I ପୁଣି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମିଳନ ହେବା ମଧ୍ୟ ସ୍ୱାଭାବିକ I












Click it and Unblock the Notifications