Rath Yatra 2024: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି
ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଏହି କମିଟି। ତେବେ ନୀତି ତ୍ୱରାନ୍ୱିତ କରିବାକୁ ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।
ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଛି । ତେଣୁ ଭକ୍ତଙ୍କର ଭିଡ଼ କମ୍ କରିବା ପାଇଁ ନବଯୌବନ ଦର୍ଶନ ହେବ ନାହିଁ । ତେଣୁ ଭକ୍ତଙ୍କୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ମିଳିପାରିବ ନାହିଁ । ସେହିପରି ଭକ୍ତଙ୍କୁ ପହଣ୍ଡି ଟିକେଟ୍ ମଧ୍ୟ ମିଳିବ ନାହିଁ । ଏହାସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୭ତାରିଖ ଅପରାହ୍ନ ୫ଟାରେ ଟଣାଯିବ ରଥ । ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ୫୩ ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି । ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏଥର ଦୁଇ ଦିନ ଧରି ରଥଟଣା ଯିବ।

ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ଜୁଲାଇ ୭ତାରିଖ ଅପରାହ୍ନରେ ରଥ ଟାଣିବାକୁ ନିଷ୍ପତ୍ତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏଥର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅଣସର ନୀତି ହେବ। ସେହିପରି ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ମୋହର ଲାଗିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।












Click it and Unblock the Notifications