Rath Yatra 2024: ଚାଲିଛି ରଥ କାମ; ପଡ଼ିଲା ପ୍ରଭା, ଉଠିଲା ଜଗତପୃଷ୍ଠ ଶେଣି
ଚାଲିଛି ରଥ କାମ । ତିନି ରଥର ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ସହଯୋଗୀ ମହାରଣା ସେବକ ଓ ଭୋଇସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ପ୍ରଭା ପଡ଼ିବା ଆରମ୍ଭ ହୋଇଛି । ଜଗତପୃଷ୍ଠ ଶେଣି ଉପରକୁ ଉଠିଛି । ଦୁଆର କାମ ଚାଲୁ ରହିଛି । ପ୍ରଭାରେ ବାଙ୍କ ପଡ଼ିଛି ।
ଏଣେ ରଥଚାଳିରେ ଦୁଆର ଓ ପ୍ରଭା ସିଂହାସନ କାମ ଜାରି ରହିଛି । ପାର୍ଶ୍ୱ ଆଗ ଆଣି ପଟା ମଧ୍ୟ ପଡ଼ିଛି । କଳସ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଦର ବାଡ଼ିଆ ଓ ରଙ୍ଗ ପରେ ଏହା ତେର ପରସ୍ତ ପୋଟଳ ଉପରକୁ ଉଠିବ । ତିନିରଥର ବେଦି ପଛ ଭାଗ ତାଗରେ ପାରୁସ ପଟାବାଡ଼ିଆ ଶେଷ ହୋଇ ରଥ ପାର୍ଶ୍ୱ ଭାଗରେ ପଟା ପଡ଼ିବା ଜାରି ରହିଛି ।
ରୂପକାର ସେବକମାନେ ଖୋଦେଇ ଶେଷ କରିଥିବା ନାଟ ଗୋଡ଼ରେ ରଙ୍ଗ ପାଇଁ ଚିତ୍ରକାର ସେବକଙ୍କୁ ଯୋଗାଇବା ସହ ଶେଷ ଦୁଇଟି ନାଟ ଗୋଡ଼ରେ ଖୋଦେଇ ରୂପର ପଲିସ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି । ଚିତ୍ରକାର ସେବକ ତିନି ରଥର କୋଣ ଗୁଜ, ପଟା ଗୁଜରେ ରଙ୍ଗ ସହ ନାଟଗୋଡ଼ରେ ପ୍ରାଇମର୍ ଦେଇଛନ୍ତି ।

ପରେ ରୂପଗୁଡ଼ିକର ରଙ୍ଗ କାର୍ଯ୍ୟ କରୁଛନ୍ତି । ଏଥି ସହ ରଥ ପାର୍ଶ୍ୱ ଦେବଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।
ଦରଜି ସେବକ ତିନି ରଥର ବତା କନାରେ ଲେସ ଫିଟିଂ ସହ ଦ୍ୱାର ବେଢ଼ା ଓ ଚନ୍ଦ୍ରଶାଳା ପାଇଁ କନା କଟିଂ ଶେଷ କରି ସେଥିରେ ସିଲଭର୍ ଲେସ ସିଲେଇ କାର୍ଯ୍ୟ ଜାରି ରଖିଛନ୍ତି। ଓଝା ସେବକମାନେ କଳସ କଣ୍ଟା, ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନି ରଥର ୧୦ ଟି ଲେଖାଏଁ ଗଣ୍ଠି କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।












Click it and Unblock the Notifications