Rath Yatra 2024: ଦୁଇ ଦିନ ଧରି ପାଳନ ହେଉଛି ରଥଯାତ୍ରା, ଦୀର୍ଘ ୫୩ ବର୍ଷ ପରେ ପଡ଼ିଛି ଏଭଳି ଦୁର୍ଲଭ ସଂଯୋଗ

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଆଉ କିଛି ସମୟ । ଅପେକ୍ଷା ସେହି କ୍ଷଣକୁ । କେବଳ ଅପେକ୍ଷା ଭଲ କରି ଥରେ ପାପ ନେତ୍ରରେ ଦେଖିବାକୁ ଆମ କାଳିଆ ସାଆନ୍ତକୁ । ମାନବୀୟ ଲୀଳା ଖେଳିବେ ମହାବାହୁ । ଜନ୍ମବେଦିକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର।ଭକ୍ତ ଗହଳିରେ ଉଛୁଳିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ । ପୋଲିସ ପ୍ରସ୍ତୁତ, ପ୍ରଶାସନ ବି ପ୍ରସ୍ତୁତ।

ପୁଣିଥରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ।ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଅଣାଯାଇଛି ।

ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରାଇଥିଲେ । ତେବେ ଚଳିତ ବର୍ଷ ତିଥି କ୍ଷୟ ଯାଉଥିବାରୁ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

Rath Yatra 2024

୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି କରାଯିବ । ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ଅପରାହ୍ଣ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସଂପନ୍ନ ହେବ । ପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ ।

ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କଦ୍ୱାରା ସମାପିତ ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ ( ଖେଚେଡି଼ ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ।

ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ଏହା ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢି଼ଥାଏ। ଆଉ ତାହା ପରେ ଆରମ୍ଭ ହୁଏ ପହଣ୍ଡି l ଏହି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି।

ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା' ଶ୍ରୀମସ୍ତକରେ ଲଗାଯାଇଥାଏ। ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡା଼କ ଦେଇଥାନ୍ତି। ସମଗ୍ର ବଡ଼ ଦେଉଳ ଓ ସିଂହଦ୍ୱାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ୱନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ। ଶ୍ରୀବିଗ୍ରହମାନେ ରଥାରୁଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି।

ଛେରା ପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ। ରଥରୁ ଚାରମାଳ ଖୋଲାଯିବା ପରେ ଘୋଡା଼ ବନ୍ଧାଯାଏ। ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି଼ ଲଗାଯାଇ ରଥଟଣା ହୋଇଥାଏ।

ତେବେ ଦୁଇଦିନିଆ ରଥଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼ ବି ବଢ଼ିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟି ରଖି ଭିଡ଼ ଓ ଆଇନଶୃଙ୍ଖଳା ପାଇଁ ୧୮୦ ପ୍ଲାଟୁନ୍‌ ଫୋର୍ସ ସହ ୧ହଜାରରୁ ଅଧିକ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସିସି କ୍ୟାମେରା ଓ ଡ୍ରୋନ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+