ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ; ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା
ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ମଣ୍ଡପ । ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ଆଜିଠାରୁ ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଆଉ କିଛି ସମୟ ପରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା ।
ଠାକୁରଙ୍କ ଆଡ଼ପ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଅପରାହ୍ନ ୨ଟା ସୁଦ୍ଧା ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି । ଆଜି ସକାଳୁ ଗୁଣ୍ଡିଚା ମନ୍ଦିରରେ ଉଭୟ ପରିମାଣିକ ଓ ସାହାଣମେଳା ଦର୍ଶନ କରାଯାଉଛି । ଲୋକମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ।
ଅନ୍ୟପକ୍ଷରେ ଆସନ୍ତାକାଲି ହେରାପଞ୍ଚମୀ ଯୋଗୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଗୁଣ୍ଡିଚା ମନ୍ଦିରରେ ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଚାଲୁରହିବ । ଗତକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରାର ତୃତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ସନ୍ଧ୍ୟା ୭ଟା ୧୨ରେ ଆରମ୍ଭ ହୋଇଥିଲା ପହଣ୍ଡି ।
ପ୍ରଥମେ ମଦନମୋହନ, ରାମକୃଷ୍ଣଙ୍କ ପରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ବିଜେ କରିଥିଲେ । ରାତି ୧୨ଟା ୨୦ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା ।
ଆଡପ ମଣ୍ଡପକୁ ବିଜେ ଲାଗି ପହଣ୍ଡି ହେଉଥିବା ବେଳେ ବଡ଼ ଅଘଟଣ ଦେଖିବାକୁ ମିଳିଛି । ବଡ଼ ଠାକୁର ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ ଜଣ ସେବାୟତ ଆହତ ହୋଇଛନ୍ତି ।
ତେବେ ଏନେଇ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୃଥ୍ବୀରାଜ ହରିଚନ୍ଦନ। ସେମାନେ ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ସେବାୟତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।
ସୂଚନାଥାଉ କି, ମଙ୍ଗଳବାର ଜନ୍ମବେଦୀକୁ ଆଡପ ବିଜେବେଳେ ପୁରୀରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସି ପଡିଛନ୍ତି ମହାପ୍ରଭୁ ବଳଭଦ୍ର । ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ।












Click it and Unblock the Notifications