Rath Yatra 2024: ଭକ୍ତଙ୍କୁ ବାନ୍ଧିବାକୁ ହେଲେଣି ଆତୁର, ଟାହିଆ ହଲେଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ
ବଡ ଭାଇଙ୍କ ପଛେ ପଛେ ମାଡିଆସିଲେଣି ବ୍ରହ୍ମାଣ୍ଡପତି ଶ୍ରୀଜଗନ୍ନାଥ । ବାହୁ ବନ୍ଧନରେ ଭକ୍ତଙ୍କୁ ବାନ୍ଧିବାକୁ ହେଲେଣି ଆତୁର । ଝୁଲି ଝୁଲି ଆସୁଛନ୍ତି ବଡ ବାଡର ବାଡଗ୍ରାହୀ । ଟାହିଆ ହଲେଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ ।
ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଲେଣି ବଡଠାକୁର ବଳଭଦ୍ର । ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡ । ବଡଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡଦାଣ୍ଡ, ରଥ, ପଥ ସବୁକିଛି ।
ସେପଟେ ଶ୍ରୀଜିଉଙ୍କ ଅପେକ୍ଷାରେ ରଥ । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ । ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା'ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର... ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ । ଏଣେ ରଥ ପ୍ରସ୍ତୁତ.... ପଥ ପ୍ରସ୍ତୁତ... ଅପେକ୍ଷା ସେହି ଜଗତରନାଥ ଜଗନ୍ନାଥ ।

ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି । ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି । ସେହିପରି ଗତ ରାତିରୁ ଲାଗୁ ହୋଇଛି ଟ୍ରାଫିକ୍ କଟକଣା । ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ । AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ । ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା । ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି ।












Click it and Unblock the Notifications