Get Updates
Get notified of breaking news, exclusive insights, and must-see stories!

ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି , ଅଧରପଣା କଣ ? କାହିଁକି ହୁଏ ଏହି ନୀତି ?

ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ପରଦିନ ଅଧର ପଣା ନୀତି ହୋଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ ।

ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।

ସ୍ୱତଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପେର 'ଅଧର ପଣା' ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ' ଅଧର ପଣା ଭୋଗ କରାଯାଉଛି । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି ।

rath yatra 2024

ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ବ । ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନ ସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ । ତେବେ ଆସନ୍ତୁ ଜାଣିବା ଅଧର ପଣା ନୀତି କାହିଁକି ଓ କିପରି ହୁଏ ଅନୁଷ୍ଠିତ..

ଅଧର ପଣା ନୀତି କାହିଁକି ହୁଏ ?
ପୌରାଣିକ ବର୍ଣ୍ଣନାନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି । ଏହି ପଣା ପାନ କରି ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ। ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥା'ନ୍ତି ରଥଯାତ୍ରାକୁ। ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି ଏଭଳି ଅନେକ ଲୋକ ପ୍ରବାଦ ଅଧରପଣାକୁ ନେଇ ରହିଛି।

ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି ।

ନଅ ହାଣ୍ଡିର ପଣା ବ୍ୟବସ୍ଥା ରହସ୍ୟା
ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କୁ ମହାକାଳୀ ବୋଲି ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ପୂଜା କରିଥା'ନ୍ତି। ତେଣୁ ଏହି ନବଦିନାତ୍ମକ ରଥଯାତ୍ରାକୁ ତନ୍ତ୍ରର ପୂଜା ବୋଲି କୁହାଯାଏ। ଖାଲି ସେତିକି ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବାଦେବୀ ରହିଥା'ନ୍ତି। ଅଧର ପଣା ବେଳେ ପ୍ରତିରଥରେ ତିନି ତିନୋଟି କରି ମୋଟ ନଅଟି ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ ବୋଲି କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଉତ୍ସବ ଆରମ୍ଭ ହୋଇ ନୀଳାଦ୍ରି ବିଜେରେ ସମାପ୍ତ ହୋଇଥାଏ। ଦେବତାମାନଙ୍କଠାରୁ ଉତ୍ସବ ଆରମ୍ଭ ହୋଇ ଅଶରୀରୀମାନଙ୍କ ପାଖରେ ସରିଥାଏ। ଦେବସ୍ନାନ ଉତ୍ସବରେ ମହାପ୍ରଭୁ ଦେବତା, ଯକ୍ଷ, ଗନ୍ଧର୍ବ ଆଦିଙ୍କୁ ଦର୍ଶନ ଦେଇ କୃତାର୍ଥ କରୁଥିବା ବେଳେ ଦ୍ବିତୀୟ ଭାଗରେ ଶ୍ରୀଗୁଣ୍ଡିଚାରେ ରଥରେ ବସି ମନୁଷ୍ୟ, ପଶୁ ଯୋନିରେ ଜନ୍ମଗ୍ରହଣ କରିଥିବା ସମସ୍ତ ପ୍ରାଣୀଙ୍କୁ ଦର୍ଶନ ଦେଇ ପତିତ ଉଦ୍ଧାର କରିଥା'ନ୍ତି। ରଥଯାତ୍ରା ଶେଷଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ଡି ସ୍ପର୍ଶ କରି ଏହାକୁ ଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଉଦ୍ଧାର କରିଥା'ନ୍ତି।।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+