ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ; ଆଜି ପୁଣି ଟଣାଯିବ ରଥ
ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ । ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ । ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ବଜ ରଥ । ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।
ନେତ୍ରୋତ୍ସବ ବିଧି ସାରି ସକାଳ ଧୂପରେ ବେଇଗି ବେଇଗି ଖେଚୁଡ଼ି ଭୋଗ ଖାଇ ତିନି ଠାକୁର ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏତିକି ବେଳେ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟ ଆଗରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମା ସୁଭଦ୍ରା...ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ । ବଡ଼ଦାଣ୍ଡରେ ଖେଳି ଯାଇଥିଲା ଭାବର ଜୁଆର...ଭକ୍ତିର ଜୁଆର...ଉଚ୍ଛ୍ବାସର ଜୁଆର...

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ...ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।
ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ...ପ୍ରାୟ ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଘର୍ଘର ନାଦରେ ଗଡ଼ିଥିଲା ରଥ।












Click it and Unblock the Notifications