ରଥଯାତ୍ରା ୨୦୨୪: ରଥ ତ୍ରୟ ପ୍ରତିଷ୍ଠା ସମ୍ପୂର୍ଣ୍ଣ; ତିନି ରଥରେ ସ୍ଥାପନା ହେଲା ଧ୍ୱଜା ଓ କଳସ
ବାଜୁଛି କାହାଳୀ, ଶୁଭୁଛି ଶଙ୍ଖ ଧ୍ବନି । ଜୟ ଜଗନ୍ନାଥ ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ଭଗବାନଙ୍କ ଅପେକ୍ଷାରେ ରହିଛନ୍ତି ରଥ, ପଥ ଓ ଭକ୍ତ । ଶ୍ରୀନଅରରୁ ଭକ୍ତଙ୍କ ପାଇଁ ବାହାରି ଆସିବେ ଭାବର ଠାକୁର । ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ଦାରୁଦିଅଁ। ଚଳିତ ଦୁଇ ଦିନ ରଥଯାତ୍ରା ପଡ଼ୁଥିବାରୁ ଦୁଇ ଦିନ ରଥ ଟାଣିବେ ଶ୍ରଦ୍ଧାଳୁ ।
ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସାରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ।

ଏପଟେ ଶ୍ରୀମନ୍ଦିରରେ ରଥ ପ୍ରତିଷ୍ଠା ହୋମଯଜ୍ଞ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଦେବଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପ୍ରତିଷ୍ଠା ହୋଇଛି କଳସ ଏବଂ ଧ୍ବଜା । ଏହା ପୂର୍ବରୁ ଦାରୁଦିଅଁଙ୍କ ସେନାପଟା ଲାଗି ସମ୍ପନ୍ନ ହୋଇଥିଲା ।
ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଆଉ କିଛି ସମୟ । ଅପେକ୍ଷା ସେହି କ୍ଷଣକୁ । କେବଳ ଅପେକ୍ଷା ଭଲ କରି ଥରେ ପାପ ନେତ୍ରରେ ଦେଖିବାକୁ ଆମ କାଳିଆ ସାଆନ୍ତକୁ । ମାନବୀୟ ଲୀଳା ଖେଳିବେ ମହାବାହୁ । ଜନ୍ମବେଦିକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର।ଭକ୍ତ ଗହଳିରେ ଉଛୁଳିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ । ପୋଲିସ ପ୍ରସ୍ତୁତ, ପ୍ରଶାସନ ବି ପ୍ରସ୍ତୁତ।
ପୁଣିଥରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ।ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଅଣାଯାଇଛି ।












Click it and Unblock the Notifications