ଆସନ୍ତା ସୋମବାର ନବଯୌବନ ଦର୍ଶନ, ପାରିମାଣିକ ଦର୍ଶନ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ରହିଛି
ପୁରୀ: ଆସନ୍ତା ୧୯ ତାରିଖ (ସୋମବାର) ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ନବଯୌବନ ଦର୍ଶନ । ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ କରିପାରିବେ ଦର୍ଶନ । ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି ।
ସେହିପରି ୯ ଟାରୁ ୧୧ଟା ଯାଏ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ରହିଛି । ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ । ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ରାତି ୯ଟା ସୁଦ୍ଧା ସେନାପଟା ଲାଗି କାର୍ଯ୍ୟକ୍ରମ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥାରୁଢ ହେବେ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଯାହାର ନୀତି ନିଘଣ୍ଟ ଆସିଛି ।
ନବଯୌବନ ଦର୍ଶନର ମହତ୍ତ୍ଵ
ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ପର୍ଯ୍ୟନ୍ତ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ତେବେ ସୁସ୍ଥ ହେଲା ପରେ ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।
ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ଦେଖାଯାଏ। ।
ରଥଖଳା ହାଲଚାଲ୍
ସେପଟେ ରଥନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥ ଉପରକୁ ୧୩ ପରସ୍ତ ପୋଟଳ, ପାରାଭାଡି ଉଠିଥିବା ବେଳେ ବୁଧବାର ପ୍ରତ୍ୟେକ ରଥର ଚାରି ଚାରୋଟି ପରଭା ଉଠାଇ ଭୋଇ ସେବକ ମାନେ ସପ୍ତମ ହରିବୋଲ ପକାଇବେ । ଆଗକୁ ସାରଥୀ, ଘୋଡା,ବ୍ରେକ୍ ଇତ୍ୟାଦିର ମରାମତି ହେବାପରେ ଏହାକୁ ରଥ ଉପରକୁ ଉଠାଯିବ । ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ଶୃଙ୍ଖଳିତ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରାୟ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।












Click it and Unblock the Notifications