Rath Yatra 2025: ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ କାହିଁକି ?
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ କାହିଁକି ?
ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।












Click it and Unblock the Notifications