ଦିନକୁ ଦିନ କୂଳ ଲଙ୍ଘୁଛି ସମୁଦ୍ର: ବୁଡ଼ିବାକୁ ଲାଗିଲାଣି ରାମେୟାପାଟଣା ଓ ଆର୍ଯ୍ୟପଲ୍ଲୀ
ଭୟରେ ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବସୀ । ଦିନକୁ ଦିନ କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଓ ଚିକିଟି ବ୍ଲକର ରାମେୟାପାଟଣା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଗଞ୍ଜାମ: ଭୟରେ ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବସୀ । ଦିନକୁ ଦିନ କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଓ ଚିକିଟି ବ୍ଲକର ରାମେୟାପାଟଣା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଦୁଇ ଗାଁର କିଛି ଘର ସମୁଦ୍ରରେ ବୁଡ଼ିବାକୁ ଲାଗିଛି । ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ପୂର୍ବରୁ ଆର୍ଯ୍ୟପଲ୍ଲୀଠାରୁ ୨ କିଲୋମିଟର ଦୂରରେ ସମୁଦ୍ର ରହିଥୁଲା। ମାତ୍ର ସମୁଦ୍ର ଭିତରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମୁଦ୍ର ଜୁଆର ଗାଁକୁ ସ୍ପର୍ଶ କରିଛି । ମାତ୍ର କେଇ ମିଟର ଦୂରରେ ଘରଦ୍ୱାର ଅଛି । ଏହା ଜାରି ରହିଲେ ଆଗାମୀ ଦିନରେ ଏହି ଗାଁ ସହ ଜିଲ୍ଲାର ତଟବର୍ତ୍ତୀ ଗାଁ ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଉପୁଜିଛି । ଗଞ୍ଜାମ ଜିଲ୍ଲା ମାନଚିତ୍ରରୁ ଆର୍ଯ୍ୟପଲ୍ଲୀ ଗାଁ ସବୁଦିନ ପାଇଁ ଲିଭିଯିବା ଭଳି ସ୍ଥିତି ଉତ୍ପନ୍ନ ହୋଇଛି।
ଗାଁରେ ଥିବା ଛୋଟ ଛୋଟ ମନ୍ଦିର ଜୁଆର ମାଡରେ ଭାଙ୍ଗି ନଷ୍ଟ ହୋଇଯାଇଛି । କେବଳ ଆର୍ଯ୍ୟପଲ୍ଲୀ ନୁହେଁ, ସମୁଦ୍ର କୁଳରେ ରହିଥିବା ଜିଲ୍ଲାର ଏକାଧୁକ ଗାଁର ଲୋକେ ସମୁଦ୍ରର ବିକଟାଳ ରୂପରେ ଭୟଭୀତ ହୋଇପଡ଼ିଛନ୍ତି । ଧନଜୀବନ ସୁରକ୍ଷା ନିମନ୍ତେ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର କୂଳରେ ଗୋପାଳପୁର ବନ୍ଦର ପକ୍ଷରୁ ପଥର ବାଡ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସମୁଦ୍ର ତଟରେ ଥିବା ଆର୍ଯ୍ୟପଲ୍ଲୀସାମୁଦ୍ରିକ ଥାନା ଭାଙ୍ଗିରୁଜି ଯାଇଛି । ଏହି ଥାନାର ନୂତନ କୋଠା ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି। ତେବେ ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।
ସେହିପରି ସମୁଦ୍ର ଉପକୂଳ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ରାମେୟାପାଟଣା ଗାଁ ଭିତରକୁ ଚଳିତ ବର୍ଷ ପୁଣି ମାଡି ଆସିଛି ସମୁଦ୍ର । ୨୦୦୮ରେ ପ୍ରଥମ ଥର ପାଇଁ ରାମେୟାପାଟଣା ଗାଁକୁ ମାଡି ଆସିଥିଲା ସମୁଦ୍ର ।ସମୁଦ୍ର ଗର୍ଭକୁ ଘରଦ୍ୱାର ଟାଣି ନେଇଥିଲା । ତେବେ ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ ଅଞ୍ଚଳବାସୀ। ସୁନପୁର ନିକଟରେ ପୋତି ହୋଇଥିବା ମୁହାଁଣକୁ ଖୋଲାଗଲା। ମୁହାଁଣ ଖୋଲିବା ପରେ ପୁଣି ପଛକୁ ହଟି ଯାଇଥିଲା। ତେବେ ଦୀର୍ଘ ୮ବର୍ଷ ପର୍ଯ୍ୟନ୍ତ ସମୁଦ୍ର ଓ ଗ୍ରାମ ମଧ୍ୟରେ ବ୍ୟବଧାନ ରହିଥିଲା । ମାତ୍ର ୨୦୧୬ ମସିହାରେ ପୁଣି ମାଡ଼ି ଆସିଥିଲା। ଆଉ ସେବେଠାରୁ ସମୁଦ୍ର ସେହି କ୍ରମାଗତ କୂଳ ଲଘୁଛି ସମୁଦ୍ର।
ତେବେ ବିଗତ ଦୁଇ ଦିନ ମଧ୍ୟରେ ପ୍ରାୟ ଅଢେଇ ମିଟର ଉଚ୍ଚରେ ଜୁଆର ଉଠିଛି । ଅଧା କିଲୋମିଟର ଗାଁ ଆଡ଼କୁ ମାଡି ଆସିଛି ସମୁଦ୍ର । ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜୁଛି । ଏହି ପ୍ରକ୍ରିୟାରେ ଜୁଆର ମାଡ଼ ହୋଇ ଘର ଓ ଧନସମ୍ପତ୍ତି ନଷ୍ଟ ହେଉଛି। ଚିକିଟି ବ୍ଲକ କତୁରୁ ପଞ୍ଚାୟତ ଅଧୀନରେ ଆସୁଛି ରାମେୟପାଟଣା ଗ୍ରାମ । ଏହି ଗ୍ରାମରେ ପ୍ରାୟ ସମସ୍ତେ ମସ୍ୟଜୀବୀ। ଗ୍ରାମରେ ପ୍ରାୟ ୬୫୦ ପରିବାରର ତିନି ହଜାରରୁ ଅଧିକ ଲୋକ ବସବାସ କରନ୍ତି । ତେବେ ସମୁଦ୍ର ପ୍ରାୟ ୧୪ ବର୍ଷ ହେଲା ଏହି ଗ୍ରାମକୁ ଡରାଉଛି ।












Click it and Unblock the Notifications