ଦାରୁ ବିବାଦ : ରାମକୃଷ୍ଣ ଦାସମହାପାତ୍ରଙ୍କୁ କୈଫିୟତ ତଲବ
ଦାରୁ ବିବାଦକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ରବିବାର ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ କରିଛି । ଯାହାର ଉତ୍ତର ୭ ଦିନ ଭିତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ସନ୍ତୋଷଜନକ ଉତ୍ତର ନଦିଅନ୍ତି, ତେବେ ଶ୍ରୀମନ୍ଦିର ଆଇନ ୧୯୫୫ ଅନୁଯାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପରେ ବଳକା ଦାରୁ ଶ୍ରୀମନ୍ଦିର 'ଦାରୁଘର'ରେ ସଂରକ୍ଷିତ ରହିବା କଥା। ଆବଶ୍ୟକ ବେଳେ ଶ୍ରୀଜିଉମାନଙ୍କ ବ୍ୟବହାରରେ ଲାଗିବା ପରଂପରା ରହିଛି। ଏନେଇ ଅବଗତ ଥାଇ ମଧ୍ୟ ରାମକୃଷ୍ଣ ମହାପାତ୍ରଙ୍କ ବୟାନ ବିଭ୍ରାନ୍ତି ସୃଷ୍ଟି କରୁଛି। ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିଛି।

ସୂଚନାଯୋଗ୍ୟ ଯେ,ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ରାମକୃଷ୍ଣ ଦାସ ମହାପାତ୍ର ଯୋଗ ଦେଇଥିଲେ । ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ସେହି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ସେ ବଙ୍ଗୀୟ ଗଣମାଧ୍ୟମକୁ କହିଥିବା ଅଭିଯୋଗ ହୋଇଥିଲା । ପରେ ଓଡିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ସେ ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ ।
ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର "ଦାରୁଘର"ରେ ସଂରକ୍ଷିତ ରହିବାର ବିଧି ରହିଥାଏ । ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ଠାରେ ବ୍ୟବହାରର ବିଧି ତଥା ପରମ୍ପରା ରହିଛି । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଦାସ ମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହା ଯାଇଛି ।












Click it and Unblock the Notifications