ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ପାଇଁ ନିର୍ଦ୍ଵନ୍ଦରେ ରାଜ୍ୟସଭା ଯିବେ ସୁଜିତ କୁମାର
ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର । ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି । ନାମାଙ୍କନ ପାଇଁ ଆଜି ଶେଷ ତାରିଖ ଥିଲା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବା ସ୍ପଷ୍ଟ ହୋଇଛି । ଏକ ପକ୍ଷେ ସୁଜିତଙ୍କ ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇଛି।
ସୂଚନା ଥାଉକି, ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ସୁଜିତ୍ ଏକ ବିସ୍ଫୋରକ ବୟାନ ବି ଦେଇଥିଲେ। ସେ କହିଥିଲେ, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା। ଏପରିକି ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା ମୋତେ କହୁଥିଲେ। ସେମାନଙ୍କ ଚାମଚାଗିରି କରିବାକୁ କହୁଥିଲେ। ମୁଁ ବିଦେଶରେ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା। ଯେଉଁଥିପାଇଁ ମୁଁ ଦଳ ଛାଡ଼ିଛି। ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା। ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ବି ଧମକ ଦେଇଥିଲେ। ମୋ' ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ କହିଥିଲେ। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିବାର ସୁଜିତ୍ ଭାଜପାରେ ମିଶିବାବେଳେ କହିଥିଲେ।

୨୦୨୪ ଡିସେମ୍ବର ୧୦ ତାରିଖ ନାମାଙ୍କନର ଶେଷ ତାରିଖ ଥିଲା। ୧୧ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୩ରେ ହିଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ତେବେ ରାଜ୍ୟସଭା ଉପନିର୍ବାଚନରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ସୁଜିତ କୁମାର ରାଜ୍ୟସଭାକୁ ଯିବାର ସୁନିଶ୍ଚିତ ହୋଇଛି। ଯଦି ନାମାଙ୍କନପତ୍ରରେ କୌଣସି ତ୍ରୁଟି ନଥାଏ ତେବେ ସୁଜିତ କୁମାର ପୁଣି ରାଜ୍ୟସଭା ଯିବା ଏକପ୍ରକାରର ନିଶ୍ଚିତ। ସୁଜିତ କୁମାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୧କୋଟି ୯୨ଲକ୍ଷ ୭୪ହଜାର ୨୫୦ଟଙ୍କାର ସମ୍ପତ୍ତି ଥିବାବେଳେ ୮୮ଲକ୍ଷ ୭୨ହଜାର ୨୦୮ଟଙ୍କାର ଋଣ ଅଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ରାଜ୍ୟସଭା ସାଂସଦ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବିଟି ଖାଲି ପଡ଼ିବାରୁ ଏଥିପାଇଁ ଏବେ ଉପନିର୍ବାଚନ ହେଉଛି। ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ ଆଗୁଆ ଇସ୍ତଫା ଦେଇଥିଲେ। ତେଣୁ ଏବେ ସୁଜିତ କୁମାର ପୁଣି ନିର୍ବାଚିତ ହେଲେ ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ରହିବ।












Click it and Unblock the Notifications