Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍
୪ଟି ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପିର ୨ଜଣ ପ୍ରାର୍ଥୀ, ବିଜେଡିର ଜଣେ ପ୍ରାର୍ଥୀ ନିଶ୍ଚିତ ଜିତିବାର ଥିଲା। ସେମାନେ ଜିତିଲେ। କିନ୍ତୁ ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଦେବା ପରେ ବିଜେପି ପ୍ରାର୍ଥୀଙ୍କର ଜିତିବାର ସମ୍ଭାବନା ନଥିଲା। କାରଣ ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍) ବିଧାୟକଙ୍କ ସଂଖ୍ୟା ଥିଲା ୩୩। ସବୁ ପ୍ରାର୍ଥୀ ଭୋଟ େଦଇଥିଲେ, ଜଣେ ପ୍ରାର୍ଥୀ ଜିତିବାକୁ ମୋଟ ୩୦ ବିଧାୟକଙ୍କ ଭୋଟ୍ ଆବଶ୍ୟକ ଥିଲା। ବିରୋଧୀ ଦଳର ମିଳିତ ପ୍ରାର୍ଥୀଙ୍କ ପାଇଁ ସ୍ପଷ୍ଟ ବହୁ ମତ ଥିଲା। ହେଲେ ବିଜେପି ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରିବା ପରେ ବିରୋଧୀଙ୍କ ଅଙ୍କ କଷା ଭୁଲ୍ ହୋଇଯାଇଥିଲା। ୧୧ ବିରୋଧୀ ବିଧାୟକଙ୍କ କ୍ରସ୍ଭୋଟିଂ ଦିଲୀପଙ୍କ ବିଜୟ ବାଟ ନିଶ୍ଚିତ କରିଦେଇଥିଲା।
ଉଲ୍ଲେଖ ଥାଉକି, ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ୩୫ ଜଣ ଲେଖାଏ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଅର୍ଥାତ୍ ୩୫୦୦ ଭୋଟ୍ ମିଳିଥିଲା। ସେହିପରି ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ୩୧ଜଣ ବିଧାୟକଙ୍କ ସମର୍ଥନ ଅର୍ଥାତ୍ ୩୧୦୦ ଭୋଟ୍ ମିଳିଥିଲା। ଡାକ୍ତର ଦତ୍ତେଶ୍ବର ହୋତା ଓ ଦିଲୀପ ରାୟଙ୍କୁ ୨୩ଜଣ ଲେଖାଏ ବିଧାୟକଙ୍କ ସମର୍ଥନ ମିଳିଥିଲା। ଅର୍ଥାତ୍ ୨୩୦୦ ଲେଖାଏଁ ଭୋଟ ପାଇଥିଲେ। ଚତୁର୍ଥ ଆସନ ଜିତିବାକୁ କାହାର ବି ଆବଶ୍ୟକ ଭୋଟ୍ ନଥିବାରୁ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଅଧିକ ପ୍ରଥମ ପସନ୍ଦ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କର ଦ୍ବିତୀୟ ପସନ୍ଦ ଭୋଟ୍ ଗଣନା କରିବାକୁ କହିଥିଲେ।

ହେଲେ ମନମୋହନ ଓ ସୁଜିତ କୁମାରଙ୍କ ଭୋଟ୍ ସମାନ ଥିବାରୁ କାହାର ଆଗ ଗଣତି ହେବ ସେନେଇ ଲଟେରି ହୋଇଥିଲା। ଏଥିରେ ସୁଜିତ କୁମାରଙ୍କୁ ମିଳିଥିବା ଦ୍ବିତୀୟ ପସନ୍ଦର ଭୋଟ୍କୁ ଗଣତି କରାଯାଇଥିଲା। ଏଥିରୁ ୧୩ ଜଣ ବିଧାୟକଙ୍କ କାଏମ୍ ଭୋଟ୍ ଅର୍ଥାତ୍ ୧୩ x ୪୩ (ଦ୍ବିତୀୟ ପସନ୍ଦ ଭୋଟ୍ର ମୂଲ୍ୟ)= ୫୫୯ ଭୋଟ୍ ଦିଲୀପ ରାୟଙ୍କୁ ମିଳିଥିଲା। ଏହାପରେ ଦିଲୀପଙ୍କ ଭୋଟ୍ ୨୮୫୯ ହୋଇଥିଲା। କିନ୍ତୁ ନିର୍ବାଚନ ଜିତିବାକୁ ମ୍ୟାଜିକ ସଂଖ୍ୟା ୨୯୪୧ ଭୋଟ୍ ହୋଇନଥିଲା। ତେଣୁ ପୁଣି ମନମୋହନ ସାମଲଙ୍କ ଦ୍ବିତୀୟ ପସନ୍ଦ ଭୋଟ୍ ଗଣତି ହୋଇଥିଲା। ସେଥିରେ ବି ୧୩ ଜଣ ବିଧାୟକଙ୍କ କାଏମ୍ ଭୋଟ୍ ଅର୍ଥାତ୍ ୧୩ x ୪୩ (ଦ୍ବିତୀୟ ପସନ୍ଦ ଭୋଟ୍ର ମୂଲ୍ୟ)= ୫୫୯ଟି ଭୋଟ୍ ଦିଲୀପ ରାୟଙ୍କୁ ମିଳିଥିଲା। ଏହାପରେ ଦିଲୀପଙ୍କ ମୋଟ୍ ଭୋଟ୍ ୩୪୧୮ (ଦ୍ବିତୀୟ ପସନ୍ଦ ପରେ) ହୋଇଥିଲା। ଏତିକିରେ ଦିଲୀପ ରାୟ ମ୍ୟାଜିକ ସଂଖ୍ୟା ପାଇଯିବାରୁ ଆଉ ସନ୍ତୃପ୍ତଙ୍କ ଦ୍ବିତୀୟ ପସନ୍ଦ ଭୋଟ୍ ଗଣତି ହୋଇନଥିଲା।
ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟକମାନେ ମନମୋହନ ଓ ସୁଜିତଙ୍କୁ ୩୫ଟି ପ୍ରଥମ ପସନ୍ଦ ଭୋଟ୍ ଦେଇଥିଲେ ହେଁ ୨୨ଜଣ ଲେଖାଏ ବିଧାୟକ ଦ୍ବିତୀୟ ପସନ୍ଦ ଦେଇନଥିଲେ। ତେଣୁ ଯେଉଁ ୧୩ଜଣ ଲେଖାଏ ବିଧାୟକ ଦ୍ବିତୀୟ ପସନ୍ଦ ଭୋଟ୍ ଦେଇଥିଲେ ସେମାନଙ୍କ ଭୋଟ୍ ହିସାବ ହୋଇଥିଲା। ଏପରିକି କେତେକ ବିଜେପି ବିଧାୟକ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତାଙ୍କୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ପସନ୍ଦ ଭୋଟ୍ ଦେଇଥିଲେ। ବିଜେପିର ରଣନୀତି ଅନୁସାରେ ଏହି ଭୋଟିଂ ହୋଇଥିଲା। ଏହାଦ୍ବାରା ସବୁଠୁ କମ୍ ପ୍ରିଫରେନ୍ସ ଭୋଟ୍ ସେମାନଙ୍କୁ ମିଳିଥାନ୍ତା। ହେଲେ ବିଜେଡି ଓ କଂଗ୍ରେସ ବିଧାୟକମାନେ କେବଳ ପ୍ରଥମ ଓ ଦ୍ବିତୀୟ ପସନ୍ଦ ଭୋଟ୍ ଦେଇଥିଲେ। କିନ୍ତୁ ମନମୋହନ ଓ ସୁଜିତ କୁମାରଙ୍କୁ ସନ୍ତୃପ୍ତଙ୍କ ତୁଳନାରେ ଅଧିକ ପ୍ରଥମ ପସନ୍ଦ ଭୋଟ୍ ମିଳିଥିବାରୁ ଦିଲୀପଙ୍କ ପାଇଁ ଦ୍ବିତୀୟ ପସନ୍ଦ ଭୋଟ୍ ଗଣତିବେଳେ ସେମାନଙ୍କ ଭୋଟ୍କୁ ହିସାବକୁ ନିଆଯାଇଥିଲା। କିଛି ଭୋଟ୍ ନାକଚ ହେଲେ ବି କିପରି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଜିତିବେ ସେନେଇ ବି ବିଜେପି ପକ୍ଷରୁ ପୂରା ରଣନୀତି ପ୍ରସ୍ତୁତ ହୋଇଥିଲା।












Click it and Unblock the Notifications