ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ । ଗତକାଲି ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି ବିଜେପି । ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଲାଗି ଘୋଷଣା କରିଛି ବିଜେଡି ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣି ରାଜ୍ୟସଭା ଯିବେ । ଏଥିପାଇଁ ଆଜି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ । ନାମାଙ୍କନ ଦାଖଲ ପୂର୍ବରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ହେବାପରେ ଅଶ୍ୱିନୀ ବୈଷ୍ଣବ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇଥିଲେ । ସିଂହଦ୍ୱାର ଠାରେ ତାଙ୍କୁ ଦଳ ତରଫରୁ ଜୋରଦାର ସ୍ୱାଗତ କରାଯାଇଥିଲା ।
ରାଜ୍ୟସଭା ପାଇଁ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ତୃତୀୟ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ହେବେ ବୋଲି ଏକପ୍ରକାର ନିଶ୍ଚିତ ଥିଲା । ଆଉ ଅଶ୍ଵିନୀ ତୃତୀୟ ବ୍ୟକ୍ତି ହୋଇଛନ୍ତି।
ବିଜେଡ଼ି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଯିବାକୁ ସମର୍ଥନ ଦେବ ବୋଲି ମଧ୍ୟ ଘୋଷଣା କରିଛି । ଏକ ପ୍ରେସ୍ ରିଲିଜ ଜାରି କରି ବିଜେଡ଼ି ଏହା ସ୍ପଷ୍ଟ କରିଛି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି ।

ଏହି ଘୋଷଣା ପରେ ଏଥର ପୁଣି ବିଜେଡ଼ି ବଳରେ ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଯିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରେ ବିଜେପିରୁ ପାର୍ଥୀ ହୋଇଥିବା ଅଶ୍ୱିନୀ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇପାରିଥିଲେ । ଏଥର ମଧ୍ୟ ସମାନ ପାଠର ପୁରନରାବୃତ୍ତି ହେଉଛି ।
ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୫ ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ହେବ । ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୨୭ ତାରିଖ ଦିନ ନିର୍ବାଚନ ହେବା ସହ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications