ଆଜି ପହିଲି ରଜ:ଉତ୍ସବମୁଖର ହେଲାଣି ଗାଁଠୁ ସହର
ଭୁବନେଶ୍ୱର: ଓଡିଶାରେ ଆଜି ଗଣପର୍ବ ରଜ । ମାଟି ଓ ମେଘର ମିଳନର ପର୍ବ ରଜ । ପ୍ରଥମ ବର୍ଷାର ପହିଲି ପରସ ମାଟି ଛୁଇଁଲେ, ଆର୍ଦ୍ର ହୋଇ ଉଠେ ପୃଥିବୀ । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ଭୁରୁଭୁରୁ ଗନ୍ଧରେ ମହକି ଉଠେ ଧରାପୃଷ୍ଠ ।
ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ଧରିତ୍ରୀରାଣୀ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦ ଓ ଉଲ୍ଲାସର ପର୍ବ ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା । ଏହି ଅବସରରେ ପୁରପଲ୍ଲୀରେ ଝିଅମାନେ ନୂଆ ପୋଷାକ ପିନ୍ଧି ପୋଡପିଠା ଖାଇ, ରଜ ପାନର ମଜା ନେଇ ଗାଁ ଗାଁ ବୁଲିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଆନୁସାରେ, ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରନ୍ତି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ।
ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି ବାସୁମତି ସ୍ନାନ କରାଯାଏ । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ ।












Click it and Unblock the Notifications