ଆସୁଛି ଗଣପର୍ବ ରଜ, କାଲି ସଜବାଜ
ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିବେ ଗଣପର୍ବ ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ । ରଜପାନ, ପିଠା ପଣାରେ ମହକିବ ପ୍ରତିଟି ଓଡ଼ିଆ ଘର।
ଭୁବନେଶ୍ଵର: ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିବେ ଓଡ଼ିଶାର ଜାତୀୟ ପର୍ବ ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ । ରଜପାନ, ପିଠା ପଣାରେ ମହକିବ ପ୍ରତିଟି ଓଡ଼ିଆ ଘର। ରାଜ୍ୟ ତଥା ଦେଶ ବାହାରେ ଥିବା ସବୁ ଲୋକ ନିଜ ଗାଁ କୁ ଆସିବେ। ସବୁ ବନ୍ଧୁ ବାନ୍ଧବ ଏକାଠି ହେବେ। ଖୁବ୍ ଧୁମଧାମରେ ପାଳିବେ ଏହି ପର୍ବ। ମହାମାରୀ କରୋନା ପରେ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟବାସୀ ପାଳିବେ ରଜ। ଏହାକୁ ନେଇ ଖୁବ୍ ଉତ୍ସାହର ସହ ସମସ୍ତେ ଅପେକ୍ଷା କରିଛନ୍ତି।

ଏନେଇ ଓଡ଼ିଶାର ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀର ସବୁ ମାର୍କେଟ ରେ ଜମୁଛି ଲୋକଙ୍କ ଭିଡ଼। କିଏ ନୂଆ ଡ୍ରେସ୍ ସହ ମାଚିଂ କାନଫୁଲ ତ ଆଉ କିଏ ମନପସନ୍ଦ ର ଶାଢ଼ୀ କିଣୁଛି ।
ରଜରେ ନାରୀମାନଙ୍କୁ ଗୃହକର୍ମ ଜନିତ ଶ୍ରମରୁ ନିବୃତି ଦିଆଯାଇଥାଏ । ସେମାନେ 'ସଜବାଜ' ଦିନ ଆଗୁଆ ପରିବା କଟା, ବଛାକୁଟା, ପାଣିଅଣା, ବଟାବଟି, ରଜମୁଢ଼ି, ରଜପାନ ପ୍ରସ୍ତୁତ ସହ ପିଠାପାଇଁ ବଟାବଟି ଏବଂ କିଛି ପିଠାପଣା ଛଣା ଛଣିକରି ରଖି ଦେଇଥାଆନ୍ତି । ବାଳିକା, କିଶୋରୀ, ତରୁଣୀଙ୍କ ଠାରୁ ନବ ବିବାହିତା ନାରୀମାନଙ୍କ ପାଇଁ ଏହା ଏକ ଆନନ୍ଦର ପର୍ବ ।
ସେମାନେ ନିଜକୁ ରଙ୍ଗ ବେରଙ୍ଗ ନୂଆବସ୍ତ୍ରରେ ସୁନ୍ଦର ଭାବରେ ସଜାଇ, ଅଳଙ୍କାର ପିନ୍ଧି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଘର ବୁଲିଥାନ୍ତି ରଜର ବଡ଼ ଆକର୍ଷଣ ମନୋରଞ୍ଜନ କାର୍ଯ୍ୟକ୍ରମ । ବୟସ୍କମାନେ ତାସ୍, କ୍ୟାରମ୍, ପଶା ଇତ୍ୟାଦିରେ ମାତିଥିବା ବେଳେ କିଶୋରମାନେ ଗାଁ ଦାଣ୍ଡରେ ବାଗୁଡ଼ି', ଯୁବକମାନେ ନାଟ, ତାମସା, ପାଲା, ସୁଆଙ୍ଗ, ଦାସକାଠିଆ ବା ଥିଏଟରରେ ଏହି ପର୍ବକୁ ମନେଇ ଥାଆନ୍ତି।












Click it and Unblock the Notifications