ତାତିରେ ଲାଗିବ ବ୍ରେକ ;୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା
ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଏହାରି ଭିତରେ ପାଣିପାଗ ବିଭାଗରୁ ଆସିଛି ଏକ ଖୁସି ଖବର । ରାଜ୍ୟରେ କେତେକ ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ସମେତ କିଛି ପାଶ୍ୱର୍ବର୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାଫଳରେ ଦିନର ତାପମାତ୍ରା ହ୍ରାସ ପାଇବ । ସେହିପରି ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।
ରାଜ୍ୟରେ ଚଳିତ ଗ୍ରୀଷ୍ମଋତୁରେ ଅସହ୍ୟ ହୋଇଛି ତାତି । କିଛି ସହରର ତାପମାତ୍ରା ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଲୋକମାନେ ଅସହ୍ୟ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି । ଦିନ ୧୨ ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗ୍ରୀଷ୍ମତାପକୁ ନେଇ ସରକାର କିଛି କଟକଣା ଜାରି କରିଥିଲେ ବି ବିଭିନ୍ନ ସ୍ଥାନରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳୁଛି ।
ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ବର୍ଷା ହୋଇଥିଲା l ଗଜପତି ଜିଲ୍ଲା ମୋହନାରେ ଗତକାଲି କାଳ ବୈଶାଖୀର ତାଣ୍ଡବ ଦେଖୁବାକୁ ମିଳିଥିଲା l ପ୍ରାୟ ଘଣ୍ଟାଏ କାଳ ପ୍ରବଳ ପବନ ସହ ବର୍ଷା ହୋଇଥିଲା l ପ୍ରବଳ ପବନ ଯୋଗୁଁ ମୋହନା ବଜାରର କିଛି ଉଠା ଦୋକାନୀ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଲୋକେ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ lପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା ।












Click it and Unblock the Notifications