ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଟ୍ରେନ ଟ୍ରାଜେଡିର ହେବ ସିବିଆଇ ତଦନ୍ତ
ଭୁବନେଶ୍ୱର: ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ଘଟିଥିବା ରେଳଟ୍ରାକର ମରାମତି ନେଇ ସେ ସୂଚନା ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଓ କେଉଁମାନେ ଦାୟୀ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ରବିବାର ସନ୍ଧ୍ୟାରେ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ସେହିପରି ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର, ଭଦ୍ରକ, ସୋରର ବନ୍ଧୁଙ୍କ ସମେତ ରେଳବାଇ ଓ ଜିଲ୍ଲା ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଥିବା ସେ କହିଛନ୍ତି । ରେସ୍କ୍ୟୁ ସହିତ ମରାମତି କାମ ମଧ୍ୟ ସମାନ୍ତରାଳ ଭାବରେ ଚାଲିଛି । ୪୦ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ବାଲେଶ୍ୱର ବାହାନଗାରେ ଗୋଟିଏ ରୁଟ୍ ମରାମତି ସଂପୂର୍ଣ୍ଣ ହୋଇଛି । ଡାଉନ୍ ମେନ୍ ଲାଇନ୍ ପୁରା ଫିଟ୍ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ସୂଚନା ଦେଇଛନ୍ତି । ଏହି ରୁଟରେ ଏବେ ଟ୍ରେନ୍ ଚଳାଚଳ କରିପାରିବ ।
ଅନ୍ୟପଟେ ବାହନଗା ଟ୍ରେନ ଟ୍ରାଜେଡ଼ିରେ ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫ ବୋଲି କହିଛନ୍ତି ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ । ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୨୭୫ ମୃତଦେହରୁ ୮୮ଟି ଚିହ୍ନଟ, ୧୮୭ଟି ଚିହ୍ନଟ ହୋଇ ପାରିନି । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଆସିଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ ଚାଲିଛି ।












Click it and Unblock the Notifications