୩୧ରେ ରାଧାପାଦ ଦର୍ଶନ: ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ନେଇ ଏସ୍ପିଙ୍କ ବଡ଼ ସମୀକ୍ଷା
ସାକ୍ଷୀଗୋପାଳ ମନ୍ଦିରରେ ଚଳିତ ମାସ ୩୧ ତାରିଖରେ ଅଁଳାନବମୀ ଓ ନଭେମ୍ବର ୨ରେ ବଡ଼ଏକାଦଶୀ ପାଳନ ହେବ। ପୁରୀ ଜିଲାର ଦ୍ବିତୀୟ ବୃହତ୍ତମ ଗଣପର୍ବ ଅଁଳାନବମୀରେ ଶ୍ରୀରାଧା ଓଡ଼ିଆଣୀ ବେଶରେ ଏବଂ ସାକ୍ଷୀଗୋପାଳ ଠାକୁର ଆକର୍ଷଣୀୟ ନଟବର ବେଶରେ ସଜ୍ଜିତ ହେବେ।
ରାଧାପାଦ ଏବଂ ନଟବର ବେଶ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେବ। ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଏସ୍ପି ପ୍ରତୀକ ସିଂ ରବିବାର ସାରେ ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଯାତ୍ରା ସୁପରିଚାଳନା ନେଇ ସମୀକ୍ଷା କରିଛନ୍ତି।
ଭିଡ଼ ନିୟନ୍ତ୍ରଣ, ସୁରକ୍ଷା, ଟ୍ରାଫିକ, ଅଗ୍ନିନିରାପତ୍ତା ଆଦି ବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ପି ପ୍ରଥମେ ଠାକୁରଙ୍କ ଦର୍ଶନ କରିବା ପରେ ଏକପାଖିଆ ରାସ୍ତାରେ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ, ଦର୍ଶନ, ବେଢା ପରିକ୍ରମା, ଉତ୍ତରଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ବୁଲି ଦେଖିଥିଲେ।

ମନ୍ଦିର ସମ୍ମୁଖ ବ୍ୟାରିକେଡ୍, ପଞ୍ଚସଖା ପଡ଼ିଆରେ ପଲ୍ଲିଶ୍ରୀ ମେଳା, ସାଂସ୍କୃତିକ ମହୋତ୍ସବ ଓ ପାର୍କିଙ୍ଗ ସ୍ଥଳ ମଧ୍ୟ ଅନୁଧ୍ୟାନ କରିଥିଲେ। ଯାତ୍ରା ସମୟରେ କରାଯାଉଥିବା କଟକଣା, ଯାନବାହାନ ଚଳାଚଳ ସମ୍ପର୍କରେ ସାଧାରଣରେ ଠିକ ସୂଚନା ଗଣମାଧ୍ୟମ ଜରିଆରେ ପ୍ରଦାନ କରିବାକୁ ଏସ୍ପି ପରାମର୍ଶ ଦେଇଥିଲେ।
ଏସ୍ପିଙ୍କ ପରିଦର୍ଶନ ସମୟରେ ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ସେବାୟତ ସଂଘ ସମ୍ପାଦକ ପ୍ରତାପ କୁମାର ମହାପାତ୍ର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।












Click it and Unblock the Notifications