ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ନିଲମ୍ବନ କଲେ ସରକାର
ଭୁବନେଶ୍ୱର: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଅଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗତ ୬ ତାରିଖରେ ଗିରଫ କରାଯାଇଥିଲା ।
ସେହିଦିନ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ଅଦାଲତଙ୍କ ଆଦେଶମତେ ତାଙ୍କୁ ୧୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ (ସିଭିଲ), ଭୁବନେଶ୍ୱରଙ୍କ କାର୍ଯ୍ୟାଳୟକୁ ଶ୍ରୀରଥଙ୍କ ସଦର ମହକୁମା ସ୍ଥିର କରାଯାଇଛି। ନିଲମ୍ବନ ଅବଧିରେ ସେ ଯନ୍ତ୍ରୀମୁଖ୍ୟ (ସିଭିଲ), ଭୁବନେଶ୍ୱରଙ୍କ ପ୍ରାକ୍ ଅନୁମତି ବିନା ସଦର ମହକୁମା ଛାଡ଼ିବେ ନାହିଁ ବୋଲି ଆଦେଶରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅଧିକ କଡ଼ା ଭାବେ ଆପଣାଇଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି ଯେତେ ବଡ଼ ଅଧିକାରୀ ହୋଇଥାନ୍ତୁ ନା କାହିଁକି ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।












Click it and Unblock the Notifications