ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା: ଜାଣନ୍ତୁ, କ’ଣ କହିଲେ ମୁଖ୍ୟଶାସନ ସଚିବ ଓ ଡିଜିପି ?
ସ୍ଥିତି ପରଖିବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରାୟ ଦେଇଛନ୍ତି ।
ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ରୋଷଘର ପରିଦର୍ଶନ କରିବା ସହ ସେବାୟତଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ସ୍ଥିତି ପରଖିବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରାୟ ଦେଇ କହିଛନ୍ତି-"ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଓ ଡିଜିପି ଶ୍ରୀମନ୍ଦିର ରୋଷ ଘର ପାଖକୁ ଯାଇ ଅନୁଧ୍ୟାନ କଲୁ। ଆମ ସହିତ ସବୁ ସେବାୟତମାନେ ଯାଇଥିଲେ। ଗତକାଲି ଘଟଣାରେ ଅଭିଯୁକ୍ତ କେମିତି ଚିହ୍ନଟ ହୋଇପାରିବ, ତାହା ଉପରେ ତର୍ଜମା ଚାଲିଛି। ଏନେଇ ସିଂହଦ୍ୱାର ଥାନାରେ ଏକ ଏଫ୍ଆଇଆର୍ ଦିଆଯାଇଛି।"
ସେ ଆହୁରି କହିଛନ୍ତି- "ସିସିଟିଭିରେ କିଛି ସୁରାକ ମିଳିଛି। ଡ୍ୟୁଟିରେ ଥିବା ଜେଟିପିମାନଙ୍କୁ ପଚରାଉଚରା ଚାଲିଛି। ମୁଁ ଆଶା କରୁଛି ଖୁବ୍ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ। ନିଷ୍ପତ୍ତି ଅନୁସାରେ ରାତିରେ ଜେଟିପି ସହିତ ଓଡ଼ିଶା ପୁଲିସ୍ ରହିବେ। ରାତିରେ ଯେପରି ଶ୍ରୀମନ୍ଦିର ଭିତରେ କେହି ରହି ନଯିବେ, ସେମାନେ ତନ୍ନତନ୍ନ କରି ଯାଞ୍ଚ କରିବେ। ଯେଉଁ ସ୍ଥାନରେ ସିସିଟିଭି ନାହିଁ, ସେଠାରେ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ। ୨୪ ଘଣ୍ଟା ସିସିଟିଭି ମନିଟର କରାଯିବ। ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟିବ, ତାହା ଉପରେ ଧ୍ୟାନ ଦିଆଯିବ।"
ଅନ୍ୟପକ୍ଷରେ ପୋଲିସ ଡିଜି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯିବ । ସିସିଟିଭି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭିର ଆବଶ୍ୟକତା ରହିଛି ସେଠାରେ ସିସିଟିଭି ଲଗାଯିବ । ଏବଂ ଅଧିକ ରିଜୋଲ୍ୟୁସନ୍ର ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ।












Click it and Unblock the Notifications