ଆଜି ରାତି ୧୦ରୁ କାଲି ଦିନ ୨ଟା ଯାଏଁ ଶ୍ରୀଜୀଉମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ: ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଆଜି ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାତି ୧୦ଟାରୁ ଆସନ୍ତାକାଲି ( ଶନିବାର) ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶ୍ରୀ ବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଇଁ ବିଭିନ୍ନ କାର୍ୟ୍ୟ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ । ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆ ଯାଇଥିଲା।
ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ । କୌଣସି ସେବାୟତ ଯେପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଦର୍ଶନରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି












Click it and Unblock the Notifications