ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ସାଆନ୍ତେ
ପୁରୀ: ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ (ବଡ଼ତଢ଼ାଉ ବେଶ) ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ । ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ସେହି ବିରଳ ବେଶ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି ।

ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି, ଆଦି ପରିଧାନ କରୁଛନ୍ତି । ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରୁଛନ୍ତି ।
ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ । ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ନିର୍ଘଣ୍ଟ ନୀତି ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଛି । ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ ।
ସେପଟେ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ । ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ । ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ବ୍ୟାରିକେଡ୍ କରାଯାଇଛି ।












Click it and Unblock the Notifications