ଶ୍ରୀମନ୍ଦିରରେ ହୋଇପାରିନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି; ରାତି ଅନିଦ୍ରା ରହିଲେ ମହାପ୍ରଭୁ
ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ହୋଇପାରିନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି । ଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାତି ଅନିଦ୍ରାରେ ରହିଛନ୍ତି । ରାତ୍ର ଶେଷ ପ୍ରହର ଯାଏ ନନ୍ଦୋତ୍ସବ ପାଳନ ଯୋଗୁ ହୋଇନି ରାତ୍ରପହୁଡ଼ ।
ତେବେ ରାତ୍ରପହୁଡ଼ ନ ହେବାରୁ ଆଗକୁ ଅନ୍ୟ ନୀତିକାନ୍ତି ବି ହୋଇପାରିନି । ବିନା ରାତ୍ରପହୁଡ଼ ନୀତିରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ଗତକାଲି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ରାତ୍ର ଶେଷ ପ୍ରହର ଯାଏଁ ପାଳନ ଚାଲିଥିଲା । ଯାହା ଫଳରେ ଶ୍ରୀଜିଉମାନଙ୍କ ରାତ୍ରପହୁଡ଼ ନୀତି ହୋଇପାରିନାହିଁ ।
ତେବେ ବିନା ରାତ୍ରପହୁଡ଼ ନୀତିରେ ଆଜି ମହାପ୍ରଭୁଙ୍କ ଦର୍ଶନ ଚାଲିଛି । ତେବେ ଆଜି ସକାଳ ପ୍ରାୟ ଆଠଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳଆଳତି ନୀତି ସଂପନ୍ନ ହୋଇଥିଲା। ପରେ ମହାପ୍ରଭୁଙ୍କ ଅବକାଶ ନୀତି କରାଯାଇଥିଲା଼ ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି ।
କୃଷ୍ଣ ଜନ୍ମ ସରିବା ପରେ ମହାପ୍ରଭୁଙ୍କର ୫ ଦିନ ବେଶ ଚାଲିବ । ନନ୍ଦୋତ୍ସବରେ ବହୁତ ଗୁଡ଼ିଏ ନୀତି ରହିଛି । ଏହି ନୀତି ପାଇଁ ଶ୍ରୀଜିଉମାନଙ୍କ ରାତ୍ରପହୁଡ଼ ଏପଟସେପଟ ହୋଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଜେଉଡ଼ା ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିଲା । ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଜେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖା ଯାଇଥିଲା ।

ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ପୂଜାପଣ୍ଡା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିଥିଲେ । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ।
ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ । ଏହି ନୀତିକାନ୍ତିରେ ସେବାୟତମାନଙ୍କ ଅନେକ ଭୂମିକା ରହିଥାଏ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।












Click it and Unblock the Notifications