Puri Lok Sabha Election Results 2024 LIVE Updates: ଜଗନ୍ନାଥ ଧାମ ପୁରୀରେ କିଏ ହେବେ ବିଜେତା ?
ପୁରୀ ଲୋକସଭା ଆସନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ଗତଥର ଅଳ୍ପ ମାତ୍ରାରେ ହାରିଥିଲା ବିଜେପି । ମାତ୍ର ୧୧, ୭୧୪ ଭୋଟ୍ ବ୍ୟବଧାନରେ ପିନାକୀଙ୍କ ବିଜୟ ବିଜେଡିକୁ ଆଶ୍ଵସ୍ତ କରିଥିଲା, ହେଲେ ଉଲ୍ଲସିତ କରିପାରିନଥିଲା।
ଏହି ଲୋକସଭା ଆସନ ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟିରେ ବିଜେଡି ଭଲ ଭୋଟ୍ ବ୍ୟବଧାନରେ ଜିତିଥିଲା। ତଥାପି ସମ୍ବିତଙ୍କ ଖାତାରେ ପଡ଼ିଥିବା ଭୋଟ୍ ବିଜେଡିକୁ ଶେଷ ପର୍ଯ୍ୟନ୍ତ ନିଶ୍ଵାସ ଅଟକାଇ ଅପେକ୍ଷା କରିବାକୁ ବାଧ୍ୟ କରିଦେଇଥିଲା। ପୁରୀ ଓ ବ୍ରହ୍ମଗିରିରେ ବିଜେପି ଖାତା ଖୋଲିଥିଲା ।
ତେଣୁ ଏଥର ଉଭୟ ପ୍ରାର୍ଥୀ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଥିଲେ । ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ, ଆଉ ଜଣେ ଦୀର୍ଘ ବର୍ଷ ଧରି ବିଜେପିର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ନେତା ହିସାବରେ ଦୁଇ ଜଣ ଏକକୁ ଆରେକ । ଗତ ଥରର ପରାଜୟର ଦୁଃଖ ଉଭୟ ଭୋଗ କରିଛନ୍ତି । ସମ୍ବିତଙ୍କ ପାଇଁ କ୍ଷେତ୍ର ନୂଆ ନୁହେଁ ଏବଂ ଅରୁପ ପୁରୀ ଡେଲାଙ୍ଗ ଅଞ୍ଚଳର ଲୋକ । ଦଳ ଓ ବ୍ୟକ୍ତିଗତ ସମ୍ମାନ ପାଇଁ ଉଭୟ ସବୁ ଶକ୍ତି ଲଗାଇଥିବା ବେଳେ କେହି ଘଣ୍ଟା ପରେ ଆସିବ ରେଜଲ୍ଟ ।

ଗତ ନିର୍ବାଚନରେ ସମ୍ବିତ ପୁରୀ ଓ ବ୍ରହ୍ମଗିରିର ବିଧାନସଭା ନିର୍ବାଚନମଣ୍ଡଳୀରୁ ସର୍ବାଧିକ ଭୋଟ୍ ପାଇଥିଲେ। ଅନ୍ୟ ୫ଟି ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ରେ ପଛେଇ ଯାଇଥିଲେ। ସତ୍ୟବାଦୀ, ପିପିଲି ଓ ନୟାଗଡ଼ରେ ବିଜେଡିକୁ ୧୨ ହଜାରରୁ ଅଧିକ ଭୋଟ୍ ମିଳିଥିଲା। କିନ୍ତୁ ରଣପୁର ଓ ଚିଲିକାରେ ବିଜେଡି ପ୍ରାର୍ଥୀ ଅଳ୍ପ ଭୋଟ୍ରେ ଆଗୁଆ ରହିଥିଲେ।
ପୁରୀ ଓ ବ୍ରହ୍ମଗିରିରେ ବିଜେଡିର ଭୋଟ୍ କମି ଥିବାରୁ ଏଥର ସେହି ଦୁଇ ନିର୍ବାଚନମଣ୍ଡଳୀରେ ଅଧିକ ଫୋକସ୍ କରିଥିଲେ ଅରୁପ । ଏହା ସହିତ ପୁରୀରେ ବିଭିନ୍ନ କ୍ଷେତ୍ରରେ ବିକାଶ, ବିଶେଷ କରି ପରିକ୍ରମା ପ୍ରକଳ୍ପ ବିଜେଡିକୁ ବେଶୀ ଫାଇଦା ମିଳିବ ।
କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ। ୪୪ ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ସତ୍ୟପ୍ରକାଶ। ଏଥର କିନ୍ତୁ ପୁରୀକୁ ନେଇ ପ୍ରଥମରୁ ହିଁ ଅଡୁଆ ସ୍ଥିତିରେ ରହିଛି କଂଗ୍ରେସ। ପ୍ରଥମେ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। କିନ୍ତୁ ପର ମୁହୂର୍ତ୍ତରେ ସୁଚରିତା ଟିକେଟ ଫେରାଇ ଦେଇଥିଲେ। ପରେ ଜୟନାରାୟଣ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଥିଲେ ।
୨୦୦୯ରେ ବିଜେଡି ପ୍ରାର୍ଥୀ ପିନାକୀଙ୍କୁ ୪ ଲକ୍ଷ ୩୬ ହଜାର ଭୋଟ୍, ବିଜେପି ପ୍ରାର୍ଥୀ ବ୍ରଜକିଶୋର ତ୍ରିପାଠୀଙ୍କୁ ୨,୦୯,୨୮୭ ଓ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂହଙ୍କୁ ୨,୨୫,୬୫୬ ଭୋଟ୍ ମିଳିଥିଲା। ୨୦୧୪ରେ ପିନାକୀଙ୍କୁ ୫, ୨୩, ୧୬୧, କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତିଙ୍କୁ ୨,୫୯,୮୦୦ ଓ ବିଜେପି ପ୍ରାର୍ଥୀ ଅଶୋକ ସାହୁଙ୍କୁ ୨,୧୫,୭୬୩ ଭୋଟ୍ ମିଳିଥିଲା। ୨୦୧୯ରେ ପିନାକୀଙ୍କୁ ୫, ୩୮,୩୨୧ ଭୋଟ୍, ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ୫, ୨୬,୬୦୭ ଭୋଟ୍ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକଙ୍କୁ ୪୪,୭୩୪ ଭୋଟ୍ ମିଳିଥିଲା।












Click it and Unblock the Notifications