ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ, ୧୨ ଘଣ୍ଟା ପରେ ବି ଲିଭି ନାହିଁ ନିଆଁ
୧୨ ଘଣ୍ଟା ପରେ ବି ଲିଭୁନି ନିଆଁ। ଏଯାଏଁ ଆୟତ ହୋଇନି ପୁରୀ କ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ଯେଉଁଆଡେ ଚାହିଁଲେ ସିଆଡ଼େ ଖାଲି ଧୂଆଁମୟ ପରିବେଶ ।

ପୁରୀ: ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ। ଏଯାଏଁ ଆୟତ ହୋଇନି ପୁରୀ କ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ଯେଉଁଆଡେ ଚାହିଁଲେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିବା ପରେ ୨ୟ ମହଲାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାଶନକୁ ନିଆଁ ବ୍ୟାପିଛି । ଫଳରେ ଗତକାଲି ରାତି ୮ଟାରୁ ଲାଗିଥିବା ନିଆଁକୁ ଆଜି ସକାଳ ୮ଟା ଅର୍ଥାତ୍ ୧୨ ଘଣ୍ଟା ପରେ ବି ଆୟତ୍ତ କରାଯାଇ ପାରି ନାହିଁ ।
ସେପଟେ ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ନିଆଁ ଲିଭା ବେଳେ ୩ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । କହିଛନ୍ତି ଏନେଇ ଅଗ୍ନିଶମ ଡିଜିଙ୍କ ସହ କଥା ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଆହୁରି ୨ରୁ ୩ ଘଣ୍ଟା ସମୟ ଲାଗିବ । ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନ ଖାଲି କରାଯାଇଛି । ସୁରକ୍ଷା ପାଇଁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରୀମନ୍ଦିର ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।
ସୂଚନାଥାଉ କି, ଗତକାଲି ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା । ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଥିଲା । ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
ତେବେ ଅଗ୍ନିକାଣ୍ଡ ସମୟରେ ମାର୍କେଟ୍ କମ୍ଲେକ୍ସ ଭିତରେ ଥିବା ଏକ ହୋଟେଲରେ ୧୦୦ରୁ ଅଧିକ ପର୍ଯ୍ୟଟକ ଥିଲେ । ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ପୁରୁଷ ଓ ମହିଳା ହୋଟେଲ ଭିତରେ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେଇ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications