Get Updates
Get notified of breaking news, exclusive insights, and must-see stories!

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ଜଗା ଦର୍ଶନ ବନ୍ଦ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ଶ୍ରୀଜିଉଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ପାରମ୍ପରିକ ରଙ୍ଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ସହ ଅନ୍ୟ ନୀତିକାନ୍ତି ଆରମ୍ଭ ହେବ ।

puri jagannath temple

ବନକଲାଗି ନୀତି କ'ଣ ଜାଣନ୍ତୁ:

ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ। ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା'ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।

କ'ଣ ରହିଛି ବନକଲାଗି ନୀତିର ନିୟମ ? ଚାଲନ୍ତୁ ଜାଣିବା । ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି। ଶ୍ରୀମନ୍ଦିର ସତ୍ତ୍ୱଲିପିର ୪୫ ନମ୍ବର ପୃଷ୍ଠାରେ ଏହା ଉଲ୍ଲେଖ ରହିଛି । ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ ୩ ଖଣ୍ଡ ଶ୍ରୀକପଡା ଦିଅନ୍ତି ।

ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ ।
ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି। ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ । ୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି । ପାଳିଆ ଖଣ୍ଟୁଆ, ଗରାବଡୁ, ୩ ଜଣ ପାଳିଆ ପୁଷ୍ପାଳକ ସେବା କରିଥାନ୍ତି।

ଚାଙ୍ଗଡା ମେକାପ, ୩ ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ସେବା କରନ୍ତି। ଧୋପଖଳା ହେବା ପରେ ପାଳିଆ ଖୁଂଟିଆ ୩ ଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି । ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି ।

ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି। ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି।

ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି। ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+