ସରିଲା ବାହୁଡ଼ା ଯାତ୍ରା: ଆସନ୍ତାକାଲି ଦିନ ୨ଟାରେ ମହାପ୍ରଭୁଙ୍କ ସୁନାବେଶ
ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି । ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ କାଳିଆ ସାଆନ୍ତ ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛନ୍ତି ।
ପ୍ରଥମେ ତାଳଧ୍ୱଜ, ଦର୍ପଦଳନ ପରେ ଲାଗିଲା ନନ୍ଦିଘୋଷ ରଥ । ଆଜି ସଂଧ୍ୟା ୬ଟା ୪୩ରେ ସିଂହଦ୍ୱାର ସାମ୍ନାରେ ଲାଗିଲା ନନ୍ଦିଘୋଷ । ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ସେବାୟତମାନେ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଥିଲେ ।

ଆସନ୍ତାକାଲି ହେବ ମହାପ୍ରଭୁଙ୍କ ସୁନାବେଶ। ମହଣ ମହଣ ସୁନାରେ ମହାବାହୁ ମଣ୍ଡିତ ହେବେ। ସୁନାପାଦ, ସୁନା ହାତ, ସୁନା କିରଟୀରେ ପ୍ରଭୁ ଝିଲ୍ମିଲ୍ ଦିଶିବେ। ମହାପ୍ରଭୁଙ୍କ ଏହି ଦିବ୍ୟ ସୁନା ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବ । ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତ୍ରିଯାଏଁ ରଥ ଉପରେ ଶ୍ରୀଜିଉମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରଥ ଉପରେ ଜୁନ୍ ୩୦ରେ ଅଧରପଣା ନୀତି ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।
ଆଜି ବାହୁଡାଯାତ୍ରା ପାଇଁ ସଅଳ ନୀତି ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଥମେ ପହଞ୍ଚିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଞ୍ଚିଥିଲା ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ । ଶେଷରେ ଆସିଥିଲେ ଜଗତରନାଥ ଜଗନ୍ନାଥ । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ବାଟରେ ଅଟକିଥାନ୍ତି ରଥାରୁଢ ଠାକୁର । ମାଉସୀ ମାଆ ମନ୍ଦିର ପାଖରେ ଅଟକି ପୋଡ ପିଠା ଖାଇବା ପରେ ଶ୍ରୀ ନଅର ପାଖରେ ଅଟକନ୍ତି ଜଗନ୍ନାଥ । କାରଣ ଏଠାରେ ହୁଏ ଲକ୍ଷ୍ମୀ-ନାରାୟଣ ଭେଟ । ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଲକ୍ଷ୍ମୀ- ନାରାୟଣଙ୍କ ଭେଟ ହୋଇଛି ।
ତେବେ ବାହୁଡା ଯାତ୍ରାର ନିର୍ଘଣ୍ଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଙ୍ଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣା ହୋଇଥିଲା ବେଳେ ପଛେ ପଛେ ଗଡି ଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ।












Click it and Unblock the Notifications