ଚୁଡାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଦେଖନ୍ତୁ, କେତେ ବେଳେ ହେବ ରଥଟାଣା ?
ପୁରୀ: ଚୁଡାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ । ଆସନ୍ତା ଜୁନ ୨୦ରେ ରଥଯାତ୍ରା । ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ ।
ତେବେ ଦାରୁ ବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ । ଚିତା ଲାଗି ପରେ ବେଶ ଶେଷ ହେବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ । ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ
ଏହା ପୂର୍ବରୁ ଜୁନ୍ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପୂର୍ବ ରାତି ସାଢେ ୩ଟାରେ ମଙ୍ଗଳାର୍ପଣ ସରି ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ । ସକାଳ ୬ଟାରେ ପହଣ୍ଡି ସରି ୮ଟା ୧୦ରେ ମଙ୍ଗଳ ଆଳତି ହେବ । ପୂର୍ବାହ୍ନ ୧୧ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ । ଅପରାହ୍ନ ୨ଟାରେ ଛେରାପହଁରା ପରେ ୨ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ ।
ସନ୍ଧ୍ୟା ୬ଟାରୁ ରାତି ସାଢେ ୯ ଅର୍ଥାତ୍ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି । ସ୍ନାନ ଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ । ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ । କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ । ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ୧୦ରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ । ଏହାପରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ ।
ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ
ସେହିପରି ଜୁନ୍ ୨୮ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି । ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରା ପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ। ୨୯ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ । ୩୦ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ । ସେହିପରି ଜୁଲାଇ ୧ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି ।
ସିଧା ପ୍ରସାରଣ
ଚଳିତ ବର୍ଷ ମଧ୍ୟ ରଥଯାତ୍ରାର ସିଧା ପ୍ରସାରଣ ହେବ । ବିଭିନ୍ନ ଟିଭି ଚ୍ୟାନେଲକୁ କମନ୍ ଲାଇଭ୍ ଫିଡ୍ ଦିଆଯିବ । ଏହା ସହିତ ଭକ୍ତମାନଙ୍କୁ ସୂଚନା ପ୍ରଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।












Click it and Unblock the Notifications