ବୁଧବାର ହେବ ବନକଲାଗି ନୀତି, ଶେଷରେ ବୈଠକରେ ହେଲା ଚୁଡାନ୍ତ
ପୁରୀ: ଶେଷରେ ବୈଠକରେ ହେଲା ନିଷ୍ପତ୍ତି । ଆସନ୍ତା ବୁଧବାର ଦିନ ଶ୍ରୀଜିଉଙ୍କ ହେବ ବନକଲାଗି ନୀତି । ଏନେଇ ଦତ୍ତମହାପାତ୍ର ନିଯୋଗ ରାଜି ଥିବା ଜଣାପଡ଼ିଛି ।
ନୀତି ସବ୍ କମିଟି ବୈଠକ ପରେ ଦତ୍ତମହାପାତ୍ରଙ୍କ ଏନେଇ ପ୍ରତିକ୍ରିୟା ରଖିବା ସହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି ପରିଚାଳନା କମିଟି କହିବେ ବୁଧବାର କରିବାକୁ ଆମେ ରାଜି । ଶ୍ରୀଜିଉଙ୍କ ନୀତିରେ ଆଉ କୌଣସି ବିଳମ୍ବ କରିବାକୁ ଚାହୁଁନୁ । କିନ୍ତୁ କେବଳ ବୁଧବାର ନକରି ଗୁରୁବାର ମଧ୍ୟ ନୀତି ହେବା ଦରକାର ବୋଲି ସେ କହିଛନ୍ତି । ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।

ଉଲ୍ଲେଖଥାଉ କି, ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି ହୋଇଥିଏ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି ।
ଏଠି କହିରଖୁ କି, ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇନାହିଁ । ଗତ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ନର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାସହ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚେତାବନୀ ଦେଇଥିଲେ । ତେବେ ତାଗିଦ୍ ସତ୍ତ୍ୱେ ବି ଏଯାଏ ହୋଇ ପାରିନି ବନକ ଲାଗି ନୀତି ।












Click it and Unblock the Notifications