ପୁରୀ ଦଳଚକଟା: ଦାୟିତ୍ୱ ନେଉ ନେଉ ଏମିତି କହିଲେ ପୁରୀ ଏସପି
ରଥଯାତ୍ରା ଦଳଚକଟାକୁ ନେଇ କେବଳ ରାଜ୍ୟ ନୁହେଁ ପୁରା ଦେଶ ଉଠୁଛି ପଡୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର। ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀର ନୂଆ ଜିଲାପାଳ ଭାବେ ଚଞ୍ଚଲ ରାଣାଙ୍କୁ ଦାୟିତ୍ୱ ମିଳିଥିବାବେଳେ
ପିନାକ ମିଶ୍ରଙ୍କୁ ଏସପି ଭାବେ ଦାୟିତ୍ୱ ମିଳିଛି।

ପୁରୀ ଏସ୍ପି ଭାବେ ଦାୟିତ୍ବ ନେବା ପରେ ପିନାକ ମିଶ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋର ପୂର୍ବରୁ ଯେଉଁ ଛୋଟ ଅଭିଜ୍ଞତା ରହିଛି କାମରେ ଲଗାଇବି। ମହାପ୍ରଭୁ ମୋତେ ଓ ପୋଲିସକୁ ଶକ୍ତି ଦିଅନ୍ତୁ କାମନା କରୁଛି। ଅଘଟଣ ନେଇ ମୁଁ ଏବେ କହିବା ଠିକ ହେବ ନାହିଁ। ସମସ୍ତ ନୀତିକାନ୍ତି ଆଗକୁ କିପରି ଠିକ ଭାବେ ହେବ ତାହା ପ୍ରାଥମିକତା ରହିବ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।
ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।
ଏହି ଘଟଣାର ସମ୍ପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ଏହା ସହିତ ପୁରୀ ଜିଲାପାଳ ଓ ଏସ୍ପିଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲାପାଳ ଭାବେ ଚଞ୍ଚଲ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହିତ DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ନିଲମ୍ବିତ କରାଯାଇଛି।
ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications