ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡି; ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ଏବେ ବି ୨୨ ଜଣ ଚିକିତ୍ସିତ
ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିର ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢୁଛି । ଆଉ ଜଣେ ଆହତ ଆଜି ଆଖି ବୁଜିଛନ୍ତି । ମୃତ୍ୟୁସଂଖ୍ୟା ଏହାକୁ ମିଶାଇ ୮ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ଏବେବି ୨୨ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଭିତରୁ କିଛି ଗୁରୁତର ରହିଛନ୍ତି।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କିଛି ଗୁରୁତରଙ୍କର ୯୦ରୁ ୯୫ ପ୍ରତିଶତ ଶରୀର ପୋଡି ଯାଇଛି । ଗତକାଲି ସକାଳେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଖଣ୍ଡିଆବନ୍ଧର ହେମନ୍ତ ସାହୁଙ୍କର ମୃତ୍ୟୁ ଘଟିଥିଲା।
ସେମାନଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡିଛି ପରିଚୟ ଜାଣିବାକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ସାମ୍ପଲ । ରିପୋର୍ଟ ଆସିଲେ ସେମାନଙ୍କ ପରିଚୟ ଜଣାପଡିବ। ସେହିପରି ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ମେ' ୨୯ ତାରିଖ ଦିନ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ। ଠାକୁରଙ୍କ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଲୋକେ ପରମ୍ପରା ଅନୁଯାୟୀ ବାଣ ଫୁଟାଇ ଥିଲେ। ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତେବେ ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା ବୋଲି କୁହାଯାଉଛି।












Click it and Unblock the Notifications