ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ଶ୍ରୀମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଏନେଇ ଜଣେ ସେବାୟତ ଅନ୍ୟଜଣେ ବରିଷ୍ଠ ସେବାୟତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।
ପୁରୀ: ଶ୍ରୀମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଏନେଇ ଜଣେ ସେବାୟତ ଅନ୍ୟଜଣେ ବରିଷ୍ଠ ସେବାୟତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ ଜଣକ ଯୌନ ନିର୍ଯାତନା ଦେଇଆସୁଥିବା ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ସହିତ ନିଯୋଗ ଏବଂ ଏସପିଙ୍କୁ ଏନେଇ ସେ ଅବଗତ କରିଛନ୍ତି ।

ଏ ସମ୍ପର୍କରେ ପୀଡ଼ିତ ନାବାଳକଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସେ ଦୃଷ୍ଟିହୀନ ଅଟନ୍ତି। ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି। ଦୁଇମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀମନ୍ଦିରର ଜନୈକ ସେବାୟତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପ୍ରତିବାଦ କଲେ ମନ୍ଦିର ଭିତରେ ମାଡ଼ ମାରିବାକୁ ଧମକ ବି ଦେଇଥିଲେ। ଭୟଭୀତ ହୋଇ ପୁଅ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ଉକ୍ତ ବରିଷ୍ଠ ସେବାୟତଜଣକ ସେଠାକୁ ଯାଇ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ।
ପୁଅ କାନ୍ଦି କାନ୍ଦି ପଳାଇ ଆସିଥିଲା। ଏହି ସମୟରେ ସେ କାହାରିକୁ କହିଲେ ଶ୍ରୀମନ୍ଦିରରେ ପଶି ପାରିବୁନି, ମାଡ଼ ମାରିବି ବୋଲି ପୁଅକୁ ଧମକ ଦେଇଥିଲେ। ତାଙ୍କ କଥା ମାନିବାକୁ ବାଧ୍ୟ କରିଥିଲେ। ସେହିଦିନଠାରୁ ପୁଅ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ଆସୁଛି । ଜଣେ ଦୃଷ୍ଟିହୀନ ସେବାୟତ ହୋଇଥିବାରୁ ସେ ନ୍ୟାୟ ଦାବି କରିଛନ୍ତି । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡ଼ିଛନ୍ତି ।












Click it and Unblock the Notifications