ଶ୍ରୀକ୍ଷେତ୍ରରେ କାଉଁରିଆ ଓ ଏକାମ୍ରକ୍ଷେତ୍ରରେ ପୟାଶ୍ରାଦ୍ଧ ମନା
ରାଜ୍ୟର ଦୁଇଟି ତୀର୍ଥସ୍ଥଳୀ ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କ ପାଖରେ କାଉଁରିଆ ଜାଳିବା ମନା
ଭୁବନେଶ୍ୱର : ଆସନ୍ତା ଶନିବାର ପବିତ୍ର ଦୀପାବଳି ଅବସରରେ ପାଳିତ ହେବ ପୟାଶ୍ରାଦ୍ଧ । ଏହି ସମୟରେ ପିଣ୍ଡଦାନ ଶ୍ରାଦ୍ଧ ଦେବା ସହ କାଉଁରିଆ ଜାଳି ବଡବଡୁଆ ଡାକିବାର ପରମ୍ପରା ରହିଛି । କୁହାଯାଏ କାଉଁରିଆ ଜାଳି ବଡବଡୁଆ ଡାକିଲେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ଶାନ୍ତିରେ ପୁଣି ସ୍ୱର୍ଗକୁ ଫେରିଯାଆନ୍ତି । ତେବେ ଚଳିତଥର କୋଭିଡ୍ ମହାମାରୀ ଏହା ଉପରେ ପ୍ରତିବନ୍ଧକ ସାଜିଛି । ରାଜ୍ୟର ଦୁଇଟି ତୀର୍ଥସ୍ଥଳୀ ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କ ପାଖରେ ଏହି ଦୀପାବଳି ଦିନ ଭିଡ ଜମେ । ସାରା ରାଜ୍ୟରୁ ଲୋକମାନେ ଏହିଠାକୁ ଆସି ଶ୍ରାଦ୍ଧ ଦେବା ସହ କାଉଁରିଆ ଜାଳି ବଡବଡୁଆ ଡାକନ୍ତି । ହେଲେ ଏହି ଦୁଇଟି ସ୍ଥାନରେ ଚଳିତ ବର୍ଷ ପ୍ରତିବନ୍ଧକ ଲାଗିଛି ।
ଏବର୍ଷ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ କାଉରିଆ କାଠି ଜାଳିବାକୁ ବାରଣ କରାଯାଇଛି । ଧୂଆଁ ଯୋଗୁଁ ପ୍ରଦୂଷଣ ହେଉଥିବାରୁ ଏବଂ କୋଭିଡ୍ ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଏଭଳି କଟକଣା ଲଗାଇଛି ପ୍ରଶାସନ ।

ହେଲେ ଆପଣ ପୂର୍ବଭଳି ସିଂହଦ୍ୱାର ସାମ୍ନାରେ ପୟାଶ୍ରାଦ୍ଧ ପିଣ୍ଡଦାନ କରିପାରିବେ । କେବଳ ପିଣ୍ଡଦାନ କରି ଫେରିଯିବାକୁ ପ୍ରଶାସନ କହିଛି । ଏ ସମସ୍ତ କଟକଣା ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।
ସେହିପରି ପ୍ରତିବର୍ଷ ପୟାଶ୍ରାଦ୍ଧ ପାଇଁ ଏକାମ୍ରକ୍ଷେତ୍ରରେ ଭିଡ ଜମେ । ଏକାମ୍ରକ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନା, ବିନ୍ଦୁସାଗର କୂଳ ସାମନ୍ତରାପୁର ସୂଷ୍ମେଶ୍ୱର ମନ୍ଦିର ନିକଟ ଗୟାକୁଣ୍ଡ ଠାରେ ଶତାଧିକ ଶ୍ରାଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ । ତେବେ କୋଭିଡ୍ ମହାମାରିକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ କମିଶନରେଟ୍ ପୁଲିସ ପକ୍ଷରୁ ଏସମସ୍ତ ସ୍ଥାନରେ କଟକଣା ଲଗାଯାଇଛି । କେହି ଏହି ସବୁ ସ୍ଥାନରେ ଏକାଠି ହୋଇପାରିବେ ନାହିଁ । ଏପରିକି ପୟାଶ୍ରାଦ୍ଧ ଓ କାଉଁରିଆ ଜାଳି ବଡ଼ବଡ଼ୁଆ ମଧ୍ୟ ଡାକି ପାରିବେ ନାହିଁ । କରୋନା କଟକଣା ଯୋଗୁଁ ଏଥର ମନ୍ଦିର ପ୍ରବେଶକୁ ମଧ୍ୟ ବାରଣ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।












Click it and Unblock the Notifications