ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ଜାଣନ୍ତୁ, କାହା ପାଖରେ କେତେ ସମ୍ପତ୍ତି ?
ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ ହୋଇଛି । ୨୦୨୧ ଡିସେମ୍ବର ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତି ତାଲିକା ସିଏମଓ ୱେବସାଇଟରେ ଉପଲବ୍ଧ କରାଯାଇଛି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ ହୋଇଛି । ୨୦୨୧ ଡିସେମ୍ବର ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତି ତାଲିକା ସିଏମଓ ୱେବସାଇଟରେ ଉପଲବ୍ଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪. ୮୭ କୋଟି ଟଙ୍କା ରହିଛି । ହରିୟାନାରେ ଥିବା ନିଜ ଫାର୍ମା ହାଉସ ବିକିବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଛନ୍ତି ।

ସେହିପରି ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା ଜମା ପୁଞ୍ଜି ଥିବା ବେଳେ ଭୁବନେଶ୍ୱରରେ ଥିବା ଏସବିଆଇ ବ୍ୟାଙ୍କରେ ୨୧.୭୧ ଲକ୍ଷ ଟଙ୍କା ରହିଛି । ସେହିଭଳି ନିର୍ବାଚନ ପାଇଁ ହିଞ୍ଜିଳିରେ ଥିବା ୨ଟି ଷ୍ଟେଟବ୍ୟାଙ୍କ ଓ ପଦ୍ମପୁର ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ଯଥାକ୍ରମେ ୭୦୭୪, ୧୪,୪୮୮ ଓ ୩୯,୦୨୮ ଟଙ୍କା ରହିଛି । ଏହାବାଦ୍ ଦିଲ୍ଲୀର ସଂସଦ ଭବନରେ ଥିବା ଷ୍ଟେଟବ୍ୟାଙ୍କରେ ୧୮୯୩ ଟଙ୍କା ଜମା ପୁଞ୍ଜି ରହିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି । ସେହିପରି ତାଙ୍କର ପୁରୁଣା ଆମ୍ବାସଡରର ଦାମ୍ ୬, ୪୩୪ ଟଙ୍କା ଦର୍ଶାଯାଇଛି । ଏହାବ୍ୟତୀତ ପୋଷ୍ଟ ଅଫିସରେ ୫୦୩୩ ଟଙ୍କାର ଜମାପୁଞ୍ଜି, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧,୧୧,୨୬,୩୭୯ ଟଙ୍କାର ଫିକ୍ସଡ ଡିପୋଜିଟ୍, ୯ କୋଟିର ରିଜର୍ଭ ବ୍ୟାଙ୍କ ବଣ୍ଡ ଓ ପୋଷ୍ଟ ଅଫିସରେ ୧ କୋଟି ଟଙ୍କାର ଟର୍ମ ଡିପୋଜିଟ୍ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୨୦୧୫ ମସିହାରେ ମୋଟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩ କୋଟି ୮୭ ଲକ୍ଷ ରହିଥିଲା ।
ମୋଟ ୬୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ପୈତୃକ ସମ୍ପତିର ମୂଲ୍ୟ ୫୨ କୋଟିରୁ ଅଧିକ ରହିଛି । ତେବେ ଏହି ପୈତୃକ ସମ୍ପତ୍ତିର ପୂରା ମାଲିକ ନବୀନ ନୁହଁନ୍ତି । ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କ ଦୁଇ-ତୃତୀୟାଂଶ ସେୟାର ରହିଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ।
ସେହିପରି ଦୀର୍ଘ ୨ ବର୍ଷ ପରେ ଜାରି ହୋଇଥିବା ତାଲିକାରେ ଅନ୍ୟ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ସାର୍ବଜନୀନ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସବୁଠୁ ଧନୀ ମନ୍ତ୍ରୀ ଥିବା ଜଣାପଡ଼ିଛି । ନବ ଦାସଙ୍କ ପାଖରେ ରହିଛି ୬୫ଟି ଗାଡ଼ି ।












Click it and Unblock the Notifications