ସମ୍ବଲପୁର ବିଶ୍ବବିଦ୍ୟାଳୟରେ ମହିଳା ଅଧ୍ୟାପିକାଙ୍କୁ ନିର୍ଯାତନା ମାମଲା; ନିଲମ୍ବିତ ହେଲେ ଅଧ୍ୟାପକ
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଜଣେ ମହିଳା ଅଧ୍ୟାପିକାଙ୍କୁ ନିର୍ଯାତନା ମାମଲାରେ ଅଧ୍ୟାପକ ଡ.ରଜତ କୁଜୁର ନିଲମ୍ବିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର ତାଙ୍କୁ ଦୀର୍ଘ ବର୍ଷ ହେଲା ମାନସିକ ନିର୍ଯାତନା ଦେଉଥିବା ନେଇ ସେ କୁଳପତିଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ । କୁଳପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବନ କରିଛନ୍ତି କୁଳସଚିବ ।
ଅଭିଯୋଗ ପରେ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ମହିଳା ତଦନ୍ତ କମିଟିର ୯ ଜଣିଆ ଟିମ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଡ. କୁଜୁରଙ୍କୁ ନିଲମ୍ବିତ କରାଯାଇଛି ।
ଅଧ୍ୟାପିକା କୁଳପତିଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୧୬ ମସିହାରେ ବିଶ୍ୱବିଦ୍ୟାଳୟରେ ସେ ଯୋଗଦେବା ଦିନରୁ ରାଜନୀତି ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର ମଦ ପିଇ ନିଶାରେ ତାଙ୍କୁ ବିଭିନ୍ନ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏ ନେଇ ପ୍ରଫେସର ଡ. କୁଜୁର ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ।

ତେବେ ଦୁଇ ମାସ ମଧ୍ୟରେ ଏହା ତାଙ୍କର ଦ୍ବିତୀୟ ନିଲମ୍ବନ । ପୂର୍ବରୁ ମଧ୍ୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଡକ୍ଟର ରଜତ କୁଜୁର ନିଲମ୍ବିତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ସହକାରୀ ଅଧ୍ୟାପକଙ୍କ ନାଁରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସେହି ବିଭାଗର ଜଣେ ଅଧ୍ୟାପିକା । ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ ମାସ ତଳେ ସଂପୃକ୍ତ ସହକାରୀ ଅଧ୍ୟାପକ ନିଲମ୍ବିତ ହୋଇଥିଲେ । ଆଉ ଏବେ ଆଉ ଥରେ ନିଲମ୍ବିତ ।












Click it and Unblock the Notifications