ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ
କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧ୍ଵ ଆଇନ ୧୯୫୦ ୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି ।
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧ୍ଵ ଆଇନ ୧୯୫୦ ୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି । ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟର ଚଳିତ ବର୍ଷ୧୬ ଜୁନରେ ବିଜ୍ଞସ୍ତୀ ଅନୁସାରେ ଲୋକପ୍ରତିନିଧ୍ଵ ଆଇନ୍ ୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଂଜୀକରଣ କରାଯିବ ।

ପଂଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଏହା ଆଜିଠାରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ କରାଯିବ । ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ କେବଳ ଫର୍ମ ନଂ - ୬ରେ ଆବେଦନ କରାଯାଇପାରିବ । ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଫର୍ମ ନଂ - ୬ ( କ ) ରେ ଆବେଦନ କରିପାରିବେ । ଫର୍ମ ନଂ - ୭ ଦ୍ଵାରା ଭୋଟର ତାଲିକାରୁ ନାମ ବାଦେବା ଓ ତହିତ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ । ସେହିପରି ଫର୍ମ ନଂ - ୮ ମାଧ୍ୟମରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା , ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ , ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ କରିବା ନିମନ୍ତେ ଆବେଦଦ କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ସ୍ଵେଚ୍ଛାକୃତ ଭାବେ ଭୋଟର ତାଲିକା ସହ ଭୋଟରଙ୍କ ଆଧାର ସଂଯୋଗୀକରଣ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ - ୬ ( ଖ ) ରେ ଆବେଦନ କରାଯିବ । ବୁଥ୍ସ୍ତରୀୟ ଅଧିକାରୀମାନେ ଭୋଟରଙ୍କଠାରୁ ଆଧାର ତଥ୍ୟ ଫର୍ମ ନଂ - ୬ ( ଖ ) ରେ ସଂଗ୍ରହ କରିବେ , ଏହା ସ୍ଵେଚ୍ଛାକୃତ ଭାବେ ସଂଗ୍ରହ କରାଯିବ । ଲୋକପ୍ରତିନିଧ୍ଵ ଆଇନ୍ ୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଂଜୀକରଣ କରିବାକୁ ଥିବା ଭୋଟରମାନେ ସ୍ୱେଚ୍ଛାକୃତ ଭାବେ ଆଧାର ବିବରଣୀ ପ୍ରଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ଜଣାଇଛନ୍ତି ।
ଆସନ୍ତା ବର୍ଷ ଏପ୍ରିଲ 1 ତାରିଖ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ବିବରଣୀ ସଂପୃକ୍ତ ନିର୍ବାଚକ ପଂଜୀକରଣ ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି । ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ- ୬ ( ଖ ) ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ www.cci.gov.in , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ www.ceoorissa.nic.in , ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ , ନିର୍ବାଚନ ପଂଜୀକରଣ ଅଧିକାରୀଙ୍କ ୱେବ୍ସାଇଟ୍ FRONTT , GARUDA , NVSP , VIA etc ରେ ଅଗଷ୍ଟ ୧ ତାରିଖ ପୂର୍ବରୁ ଉପଲବ୍ଧ ଅଟେ । ଲୋକପ୍ରତିନିଧ୍ୱ ଆଇନ - ୧୯୫୦ ଧାରା ୧୪ ( ଖ ) ର ସଂଶୋଧନ କରାଯାଇ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଏଣିକି ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା : ଜାନୁଆରୀ ୧ ତାରିଖ , ଅପ୍ରେଲ ୧ ତାରିଖ , ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରହିବ । ପୂର୍ବରୁ କେବଳ ଜାନୁଆରୀ ୧ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଧରା ଯାଉଥିଲା । ବର୍ତ୍ତମାନ ବର୍ଷକୁ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଜାନୁଆରୀ ୧ ତାରିଖ , ଅପ୍ରେଲ ୧ ତାରିଖ , ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖରେ ଭୋଟର ତାଲିକାରେ ନାମ ପଂଜୀକରଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ଜଣାଇଛନ୍ତି । ୧୭ ବର୍ଷରୁ ଊର୍ଷ ବୟସ୍କ ଯୁବବର୍ଗମାନେ ବର୍ତ୍ତମାନ ସେମାନଙ୍କ ନାମ ଭୋଟର ତାଲିକାରେ ପଂଜୀକରଣ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଏବଂ ସେଥପାଇଁ ସେମାନଙ୍କୁ ପୂର୍ବଭଳି ବର୍ଷସାରା ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଯେଉଁ ନୂତନ ଭୋଟରଙ୍କ ବୟସ ଅପ୍ରେଲ ୧ ତାରିଖ , ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବ ସେମାନେ ନିଜର ନାମ ପଂଜୀକରଣ କରିପାରିବେ । ବର୍ତ୍ତମାନଠାରୁ ପ୍ରତି ତିନିମାସରେ ଭୋଟର ତାଲିକାରେ ନାମ ପଂଜୀକରଣ ହୋଇପାରିବ ଓ ପଂଜୀକୃତ ହେଲା ପରେ ନୂତନ ଭୋଟରମାନଙ୍କୁ ଏକ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।












Click it and Unblock the Notifications