ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ସ୍ବତନ୍ତ୍ର ବିମାନରେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଓଡ଼ିଶାର କଳାକାରମାନେ ସେମାନଙ୍କର ପ୍ରଦର୍ଶନ କରିଛନ୍ତି। ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ, ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ ସହିତ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ ।
ସେହିପରି ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜର ସମର୍ଥକମାନଙ୍କୁ ନିରାଶ କରି ନଥିଲେ। କାର୍କେଡ୍ରେ ଥାଇ ସେ ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରୁ ସିଧାସଳଖ ରାଜଭବନରେ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ଥାନୀୟ ଜନତା ମଇଦାନ୍ରେ ଆରମ୍ଭ ହୋଇଥିବା 'ପ୍ରବାସୀ ଭାରତୀୟ ଦିବସ' ସମ୍ମେଳନକୁ ଉଦ୍ଘାଟନ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ। ଏହାପରେ ୪ଟି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ସେଗୁଡ଼ିକ ହେଲା ବିଶ୍ବରୂପ ରାମ: ଦ ୟୁନିଭର୍ସାଲ ଲିଗାସି ଅଫ୍ ରାମାୟଣ, ବୈଷୟିକ ଜ୍ଞାନ ପାଇଁ ପ୍ରବାସୀଙ୍କ ଅବଦାନ, ଭାରତ ଭାରତୀୟ: ସ୍ବଦେଶ ପ୍ରଦେଶ, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ପ୍ରଦର୍ଶନୀ। ଏହା ସହ 'ପ୍ରବାସୀ ଭାରତୀୟ ଏକ୍ସପ୍ରେସ'ର ଉଦ୍ଘାଟନ କରାଯିବ। ଅପରାହ୍ନରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। ଏଥିରେ ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ ଉପରେ ଆଲୋଚନା ହେବ।
ଉଦ୍ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ 'ପ୍ରବାସୀ ଭାରତୀୟ ସମ୍ମାନ' ପୁରସ୍କାରରେ ସମ୍ମାନିତ କରିବେ। ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଅଧିବେଶନରେ 'ପ୍ରବାସୀ ଭାରତୀୟ ସଂଳାପ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ' ଉପରେ ଆଲୋଚନା ହେବ।
ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।












Click it and Unblock the Notifications