ରାଷ୍ଟ୍ରପତି ନିର୍ବାଚନ: ମାଟିର ଝିଅଙ୍କୁ ବିଜେଡିର ସମର୍ଥନ, ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରପତି ନିର୍ବାଚନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ଚାଲିଛି ।
ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ନିର୍ବାଚନ । ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସନ୍ଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଜୁଲାଇ ୨୧ରେ ଭୋଟ୍ ଗଣତି ହେବ । ସେହିପରି ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ତେବେ ରାଷ୍ଟ୍ରପତି ନିର୍ବାଚନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ଚାଲିଛି । ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଛନ୍ତି। ଏହାପରେ ଅନ୍ୟ ବିଧାୟକମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଓଡ଼ିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ମତଦାନ କରିବେ। ରାଜ୍ୟର ସମସ୍ତ ଏମପି ଦିଲ୍ଲୀରେ ଭୋଟ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ରୁମ୍କୁ ଭୋଟ ଗ୍ରହଣ ଚାଲିଛି।
ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି ବିଜେଡି । ଆଜି ଦଳର ସମସ୍ତ ବିଧାୟକ ଓ ସାଂସଦମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ। ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ। ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ସମର୍ଥନ ଯୋଗାଡ଼ କରିଛନ୍ତି । ମତଦାନ ବେଳେ ଗୋଟିଏ ବି ଭୋଟ ଯେମିତି ନାକଚ ନହେବ ତାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଞ୍ଚଳିକ ଦଳ ବିଜେଡି, ୱାଇଏସଆର କଂଗ୍ରେସ, ବିଏସପି, ଏଆଇଏଡିଏମକେ, ଟିଡିପି, ଜେଡିସ୍, ସିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମଏମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛି । ସେହିପରି ଅରବିନ୍ଦ କେଜରୀୱାଲଙ୍କ ଆପ୍, ସମାଜବାଦୀ ପାର୍ଟି, ଟିଏମସି, ଟଡିପି, ଏନସିପି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେଇଛି । ମୁର୍ମୁ ପ୍ରାୟ ୩ ଭାଗରୁ ଦୁଇ ଭାଗ ଭୋଟ ହାତେଇବାର ସୁଯୋଗ ରହିଥିବା ବେଳେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିନ୍ତ । ଆକଳନ ଅନୁସାରେ ଦ୍ରୌପଦୀ ନିର୍ବାଚନରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ପାଇପାରନ୍ତି। ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥନ ପରେ ୧୦,୮୬, ୪୩୧ରୁ ଏବେ ଏନଡିଏ ହାତରେ ପ୍ରାୟ ୬.୬୭ ଲକ୍ଷ ଭୋଟ ରହିଛି।
ପ୍ରତି ୫ ବର୍ଷରେ ହେଉଥିବା ଏହି ନିର୍ବାଚନରେ ଦେଶର ସମସ୍ତ ବିଧାୟକ ଓ ସାଂସଦ ମାନେ ମତଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି। ସେ ୧୯୯୭ ମସିହାରୁ ଭୋଟ ଦେଇ ଆସୁଛନ୍ତି। ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ୫ମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୬ଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ୪ର୍ଥ ଥର ପାଇଁ, ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତି ୨ୟ ଥର ପାଇଁ ମତଦାନ କରିବେ। ବିଜେଡିର ବହୁ ସାଂସଦ ଏବଂ ବିଧାୟକ ପ୍ରଥମଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଶାସକ ବିଜେଡିର ୧୧୩ ବିଧାୟକ ରହିଛନ୍ତି। ସେହିପରି ବିଜେପିର ୨୨, କଂଗ୍ରେସର ୯, ସିପିଏମରେ ଜଣେ ଏବଂ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି।
ସେପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଗାଁ ରାଇରଙ୍ଗପୁରରେ ପୂଜାର୍ଚ୍ଚନା ହେଉଛି । ମୟୂରଭଞ୍ଜ ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସିଛନ୍ତି । ହିନ୍ଦୁ ସମ୍ପ୍ରଦାୟ ଲୋକେ ମନ୍ଦିରରେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ସେହିଭଳି ମୁସଲମାନ ସମ୍ପ୍ରଦାୟର ଲୋକେ ମସଜିଦରେ ଦୁଆ ମାଗୁଛନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକେ ମଧ୍ୟ ଜାହିରା ପୀଠରେ ଦିଦି ଜିତନ୍ତୁ ବୋଲି ପୂଜାପାଠ କରିଛନ୍ତି ।












Click it and Unblock the Notifications