ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ
ଓଡ଼ିଶା ଗସ୍ତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାଷ୍ଟ୍ରପତି ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ଶ୍ୱେତଗଙ୍ଗାଙ୍କୁ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ବାହାଘର ବେଳେ ବାଇଗଣ ରୁଆ ଭଳି ପୁଷ୍କରିଣୀ ଚାରିପାଖ ଆବର୍ଜନା, ଉଠିଥିବା ଅନାବନା ଗଛ ସଫା ହୋଇଛି । ପୁଷ୍କରିଣୀର ପାଚେରିକୁ ରଙ୍ଗ କରାଯାଉଛି । ଶ୍ୱେତଗଙ୍ଗାକୁ ସଂଲଗ୍ନ ରାସ୍ତା ମଧ୍ୟ ମରାମତି ହେଉଛି ।

ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାମ ଆଗଉଛି । ରାଷ୍ଟ୍ରପତିଙ୍କୁ କିଭଳି ସ୍ୱାଗତ କରାଯିବ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ପ୍ରାଶାସନିକ ସ୍ତରରେ ଘନଘନ ବୈଠକ କରାଯାଉଛି । ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପ୍ରସ୍ତୁତି ପର୍ବର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍ପି । ଶ୍ୱେତଗଙ୍ଗା ପୁଷ୍କରିଣୀରେ ସ୍ୱଚ୍ଛତା, ପୁଷ୍କରିଣୀର ଚତୁଃପାଶ୍ୱର୍ରେ ରଙ୍ଗ କାର୍ଯ୍ୟ, ରାସ୍ତାଘାଟର ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିଷ୍ପତ୍ତି ହୋଇଛି । ପୁଷ୍କରିଣୀ ପରିସରକୁ ସମ୍ପୂର୍ଣ୍ଣ ଧଳା ରଙ୍ଗ ଦିଆଯିବ । ପାହାଚ ମରାମତି କରାଯିବ । ପୁଷ୍କରିଣୀର ଜଳକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ଏହାସହ ଏଠାରେ ଆବଶ୍ୟକୀୟ ସବୁ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ହେବ । ଜାନୁଆରୀ ଶେଷ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି ।
ଫେବ୍ରୁଆରୀ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାକୁ ଯିବେ । ସେଠାରେ ସେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି, ପରମ୍ପରା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର, ଶୁଖିଲି ମହାପ୍ରସାଦ ଉପହାର ସ୍ୱରୂପ ଦିଆଯିବ । ରାଷ୍ଟ୍ରପତି ମହାପ୍ରଭୁଙ୍କ ବଡ଼ ଭକ୍ତ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏଠାକୁ ଆସିବାକୁ ତାଙ୍କୁ ବାରମ୍ବାର ସୁଯୋଗ ମିଳୁଛି । ରାଷ୍ଟ୍ରପତିଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ସାଧାରଣ ଲୋକ ଭଳି । ଆଗାମୀ ଦିନରେ ସେ ଆସିବାକୁ ଥିବାରୁ ଆମେ କୌଳିକ ପଣ୍ଡା ହିସାବ ତାଙ୍କୁ ସ୍ୱାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବା ପରେ ପ୍ରଥମେ ୨୦୨୨ ମସିହା ଡିସେମ୍ବର ୧୦ରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ୨୦୨୪ ମସିହା ରଥଯାତ୍ରାରେ ରାଷ୍ଟ୍ରପତି ଅତିଥି ଭାବେ ପୁରୀ ଆସିଥିବା ବେଳେ ୨୦୨୪ ଡିସେମ୍ବର ୪ରେ ପୁରୀରେ ଅନୁଷ୍ଠିତ ନୌସେନା ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ତିନିଥର ପୁରୀ ଆସିଛନ୍ତି । ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି ।
ଶ୍ୱେତଗଙ୍ଗା ସଫା କରାଯିବାକୁ ନେଇ ପ୍ରଶାସନକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସ୍ଥାନୀୟ ବାସିନ୍ଦା ଆଶୁତୋଷ ସାହୁ କହିଛନ୍ତି, ଲୋକମାନେ ଏଠାରେ କୁଣ୍ଡରେ ବୁଡ଼ ପକାଇଲେ ମଧ୍ୟ ଉପଯୁକ୍ତ ଶୌଚାଳୟ ସୁବିଧା ନଥିବାରୁ ଏହି ଧାର୍ମିକ ଏବଂ ଐତିହ୍ୟପୂର୍ଣ୍ଣ ସ୍ଥାନଟି ଖରାପ ଅବସ୍ଥାରେ ପଡ଼ିରହିଛି । ଫଳରେ ଏଠାରେ ପ୍ରତ୍ୟେକ ଦିନ ବୁଡ଼ ପକାଉଥିବା ଶତାଧିକ ଶ୍ରଦ୍ଧାଳୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ସଂଲଗ୍ନ ରାସ୍ତା ସବୁ ସମୟରେ ଆବର୍ଜନା ଭରିରହୁଥିବା ବେଳେ ପୁଷ୍କରିଣୀ ମଧ୍ୟ ଦଳ ଭର୍ତ୍ତି ହୋଇ ରହୁଥିବାରୁ ପୁଷ୍କରିଣୀର ପବିତ୍ରତା ନଷ୍ଟ ହେଉଛି । ସେହିଭଳି ପୂର୍ବ ସରକାର ସମୟରୁ ଏହି ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ୨୨ କୋଟି ଟଙ୍କା ଆସିଥିଲେ ମଧ୍ୟ ଏହାକୁ ଉପଯୋଗ କରାନଯିବାରୁ ପୁଷ୍କରିଣୀ ପୁନରୁଦ୍ଧାର ହୋଇପାରିନାହିଁ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications