ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି
ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ବିରଜା ମନ୍ଦିର ଗସ୍ତରେ ଆସିଛନ୍ତି। ସମଗ୍ର ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ ଉତ୍ସାହିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଯାଜପୁର ଗସ୍ତ ଥିଲା। ଯାଜପୁରବାସୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ୯.୩୦ ମିନିଟ ସମୟରେ ଯାଜପୁରର ପ୍ରଶାସନିକ ଭବନ ପଡ଼ିଆରେ ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରେ ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମବାୟ ହସ୍ତତନ୍ତ, ବୟନ ଶିଳ୍ପ,ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡା.ରବୀନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଓ ବିଧାୟିକା ବୃନ୍ଦ, ଜିଲ୍ଲାପରିଷଦ ଅଧ୍ୟକ୍ଷା, ଡି.ଆଇ.ଜି ପୁଲିସ ଚରଣ ସିଂ ମୀନା, ଅତିରିକ୍ତ ମହାନିର୍ଦ୍ଦେଶକ ପୁଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଅରୁଣ ବୋଥ୍ରା, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ଅମ୍ବର କୁମାର କର, ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ ଶ୍ରୀମାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ଯାଜପୁର ମାଟିକୁ ଭବ୍ୟ ସ୍ବାଗତ କରିଥିଲେ।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ଆୟୋଜନ କରାଯାଇଥିଲା। ହେଲିପ୍ୟାଡରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ମା' ବିରଜାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ବିରଜା ମନ୍ଦିରରେ ପହଞ୍ଚି ହସ୍ତପଦ ପ୍ରକ୍ଷାଳନ କରି ମନ୍ଦିର ପ୍ରବେଶ କରିଥିଲେ। ପ୍ରଥମେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାରି ଜଣ ସେବାୟତ ବ୍ରାହ୍ମଣ ନିୟୋଜିତ ଥିଲେ।
ରାଷ୍ଟ୍ରପତିଙ୍କୁ ବୌଦ୍ଧ ମୂର୍ତ୍ତି ଏବଂ ଟସର ଶାଢ଼ୀ ଉପହାର
ପିଣ୍ଡଦାନ ସରିବା ପରେ ମହାମହିମ ରାଷ୍ଟ୍ରପତି ମାଆ ବିରଜାଙ୍କ ଦର୍ଶନ କରିଥିଲେ ଏବଂ ଏହା ପରେ ବେଢ଼ା ପରିକ୍ରମା କରି ଗଙ୍ଗେଶ୍ୱର, ମୁକ୍ତେଶ୍ଵର, ସଂହାର ଭୈରବ, ୧୦୮ ଶିବ ଲିଙ୍ଗ ପାର୍ଶ୍ଵ ଦେବା ଦେବୀଙ୍କ ଦର୍ଶନ କରିଥିଲେ ଏବଂ ମୁକ୍ତି ମଣ୍ଡପ ସଭାରେ ଆଶୀର୍ବାଦ ଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ମନ୍ଦିର ପରିଦର୍ଶନ ସମୟରେ ଚତୁର୍ଦ୍ଦିଗ ବେଦ ମନ୍ତ୍ର ଉଚ୍ଚାରଣ ଓ ହୁଳୁହୁଳି ନାଦରେ ଗୁଞ୍ଜରିତ ହେଉଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବୌଦ୍ଧ ମୂର୍ତ୍ତି ଏବଂ ଟସର ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଏହାପରେ ନିମନ୍ତ୍ରିତ ବ୍ରହ୍ମକୁମାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ପ୍ରଶାସନିକ ଭବନ ହେଲିପ୍ୟାଡକୁ ଯାତ୍ରା କରିଥିଲେ ଏବଂ ଦିନ ୧୧.୪୦ ମିନିଟ ସମୟରେ ବିମାନ ଯୋଗେ ବାଲେଶ୍ଵର ଅଭିମୁଖେ ପ୍ରସ୍ଥାନ କରିଥିଲେ। ଏହି ଗସ୍ତ ଅବସରରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଜନସାଧାରଣ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications