ଆଜି ଜନ୍ମମାଟିକୁ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଅପେକ୍ଷାରେ ପରିବାର
ଆଜି ଜନ୍ମମାଟିକୁ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ଆସିବାକୁ ଥିବାରୁ ସଜେଇ ହୋଇ ରହିଛି ଜନ୍ମମାଟି । ବାଟ ଚାହିଁ ବସିଛନ୍ତି ବନ୍ଧୁ ଓ ପରିବାରବର୍ଗ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତସୂଚୀ:
କଲେଇକୁଣ୍ଡା ଏୟାରବେସରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ବ୍ଲକ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା ୦୫ ସମୟରେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ ସଡ଼କ ପଥରେ ନିଜ ଜନ୍ମଭୂମି ଉପରବେଡା ପହଞ୍ଚି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କ ସହିତ ଭାବ ବିନିମୟ କରିବେ ମହାମହିମ ।
ସେଠାରୁ ୧୨ଟା ୦୫ ସମୟରେ ବାହାରି ଉପରବେଡା ଗ୍ରାମ ସ୍ଥିତ କମଳା ବିମଳା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସଭାରେ ଯୋଗ ଦେବେ ରାଷ୍ଟ୍ରପତି । ସେଠାରୁ ୧୨ଟା ୨୫ ସମୟରେ ନିଜ ପୈତୃକ ଘରେ ପହଞ୍ଚି ପୁତୁରା ଓ ପୁତୁରା ବୋହୂଙ୍କ ସମେତ ଆତ୍ମୀୟଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୧ଟା ୦୫ ସମୟରେ ଉପରବେଡା ଗ୍ରାମରୁ ବାହାରି ସଡ଼କ ପଥରେ ସ୍ବତନ୍ତ୍ର କାରକେଡ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଇରଙ୍ଗପୁର ପହଞ୍ଚିବେ ମହାମହିମ । ରାଇରଙ୍ଗପୁର ପହଞ୍ଚି ନିଜ ବାସଭବନରେ ମଧ୍ୟାହ୍ନ ଭୋଜନ କରିବେ ।

ପରେ ଅପରାହ୍ନ ୩.୧୦ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚି ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବେ। ଅପରାହ୍ନ ୪ଟା ୫୦ ସମୟରେ ରାଇରଙ୍ଗପୁର ସ୍ଥିତ ପୁର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ସେଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରିବା ସହିତ ଆଳତୀ କରିବା ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଆସି ରାତ୍ରିଭୋଜନ ଓ ରାତ୍ରିଯାପନ କରିବେ ।












Click it and Unblock the Notifications