ବାଦାମପାହାଡରୁ ରାଇରଙ୍ଗପୁର ଟ୍ରେନରେ ଯାତ୍ରା କରିବେ ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ ପୁରା ଯାତ୍ରାର କାର୍ଯ୍ୟସୂଚୀ
ଭୁବନେଶ୍ବର: ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ପୁଣିଥରେ ପାଦ ଥାପିବେ ରାଷ୍ଟ୍ରପତି । ଗାଁ ଠୁ ସହର ସବୁଠି ଏବେ ଉତ୍ସବ ମୁଖର ।
ନଭେମ୍ବର ୨୦ତାରିଖ ମୟୁରଭଞ୍ଜରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ହେବାପରେ ଜନ୍ମମାଟିକୁ ଏହା ତାଙ୍କର ଦ୍ବିତୀୟ ଗସ୍ତ । ଏଥିପାଇଁ ସମଗ୍ର ଜିଲ୍ଲା ଏବେ ଚଳଚଞ୍ଚଳ ହୋଇଉଠିଛି ।
ରାଷ୍ଟ୍ରପତିଙ୍କ ଆଗମନ ଖବର ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ । ଆଗାମୀ ୨୦ ତାରିଖ ସୋମବାର ଦିନ ସକାଳ ୧୦ ଟା ୪୫ ମିନିଟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ବାହାରି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡା ପହଞ୍ଚିବେ । ସେଠାରୁ ହେଲିକପ୍ଟରରେ ଅପରାହ୍ନ ୧ଟା ୪୫ମିନିଟ ସମୟରେ ବାହାରି ବାରିପଦା ସ୍ଥିତ ହେଲିପ୍ୟାଡରେ ପଦାର୍ପଣ କରିବେ। ପରେ ଦିବା ୨ଟା ୨୦ ରୁ ୩ଟା ୩୫ ପର୍ଯ୍ୟନ୍ତ ବାରିପଦା ଶହୀଦ ସ୍ମୃତିଭବନ ଠାରେ ପହଞ୍ଚି "ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ"ର ୩୬ତମ ବାର୍ଷିକ ସମ୍ମୀଳନୀରେ ମୂଖ୍ୟ ଅତିଥି ଭାବେ ଯୋଗ ଦେବେ ଶ୍ରୀମତୀ ମୁର୍ମୁ ।

ତେବେ ବାରିପଦା ହେଲିପ୍ୟାଡରୁ ୩ଟା ୫୦ ରେ ବାହାରି ୪ଟା ୨୫ ରେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚି ସେଠାରୁ ରାଇରଙ୍ଗପୁର ସର୍କିଟ ହାଉସ ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ କରିବେ ।
ସେହିପରି ୨୧ନଭେମ୍ବର ମଙ୍ଗଳବାର ସକାଳ ୮ଟା ୦୫ମିନିଟ ସମୟରେ ରାଇରଙ୍ଗପୁରରୁ ସଡକପଥରେ ବାହାରି ନିଜ ଗାଁ ପାହାଡପୁରରେ ପହଞ୍ଚିବେ ରାଷ୍ଟ୍ରପତି । ପାହାଡପୁର ଠାରେ ସ୍କିଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିବା ପରେ ନିଜ ସ୍ବାମୀ ଓ ୨ପୁଅଙ୍କ ସ୍ମୃତି ରେ ନିର୍ମାଣ କରିଥିବା SLS ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
୯.୧୫ ରେ ପାହାଡପୁର ରୁ ବାହାରି ୯ଟା ୨୫ ରେ ବାଦାମପାହାଡ ରେ ରାଷ୍ଟ୍ରପତି ପହଞ୍ଚିବା ପରେ ଟାଟାନଗର ରୁ ବାଦାମପାହାଡ , ବାଦାମପାହାଡ ରୁ ରାଉରକେଲା ଏକ୍ସପ୍ରେସ , ସାଲିମାର-ବାଦାମପାହାଡ ଏକ୍ସପ୍ରେସ (ତିନୋଟି) ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ସେହିଠାରୁ ଭର୍ଚୁଆଲ ମୋଡରେ ରାଇରଙ୍ଗପୁର ନୂତନ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବା ସହ ଅନ୍ୟ କିଛି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ ।
ଏହାପରେ ବାଦାମପାହାଡ ଅମୃତ ଷ୍ଟେସନର ଭିତ୍ତିପ୍ରସ୍ତ ରଖିବେ ମହାମହିମ । ସକାଳ ୧୦.୪୫ ରେ ବାଦାମପାହାଡରୁ ଟ୍ରେନ ଯୋଗେ ଆସି ୧୧ଟା ୨୫ ରେ ରାଇରଙ୍ଗପୁର ପହଞ୍ଚିବା ପରେ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ମହାନଦୀ କୋଲ୍ଡଫିଲ୍ଡ ବୁର୍ଲା ଅଭିମୁଖେ ଯାତ୍ରା କରିବେ ।
ରାଷ୍ଟ୍ରପତି ସେହି ଦିନ ସମ୍ବଲପୁରରେ ପହଞ୍ଚି ଅପରାହ୍ନ ୪ଟା ସମୟରେ ସେ ବୀର ସୁରେନ୍ଦ୍ର ସାଇ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (VSSUT) ର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସେହିଭଳି, ସେ ୨୨ ତାରିଖ ସକାଳ ୧୧:୦୫ ଟାରେ ସାସନ କିଲାସମା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିଆ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସମାବେଶରେ ଯୋଗଦେବେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦୦୦ ଲୋକ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି। ଉଭୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏକ ଘଣ୍ଟା ପାଇଁ ଯୋଗଦେବେ । ପରେ ସେହିଦିନ ଝାରସୁଗୁଡ଼ା ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ନଭେମ୍ବର ୨୦ ରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ରାଷ୍ଟ୍ରପତି ଉଦ୍ଘାଟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ କହିଥିଲେ ।












Click it and Unblock the Notifications