ଗୋନାସିକାରେ ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କେନ୍ଦୁଝର ଗୋନାସିକାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କରିଛନ୍ତି । ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଦେଶ, ସମାଜ, ଘରର ଉନ୍ନତି ପାଇଁ ପୁରୁଷ ଓ ମହିଳାଙ୍କ ଉନ୍ନତି ଆବଶ୍ୟକ ବୋଲି ସେ କହିଛନ୍ତି । ଶିକ୍ଷା ହିଁ ଜୀବନକୁ ଭଲ ଭାବରେ ବଞ୍ଚିବାର ମାର୍ଗ ବୋଲି କହିଛନ୍ତି ମହାମହିମ । ଯେତେ କଠିନ ପରିସ୍ଥିତି ହେଲେ ବି ପାଠ ପଢ଼ିବା ବୋଲି ସେ କହିଛନ୍ତି ।

ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଚିହ୍ନଟ କରି ତାଲିମ ଦିଆଯାଉ ବୋଲି ରାଷ୍ଟ୍ରପତି କହିଛନ୍ତି । ତାଲିମ ପରେ ଆର୍ଥିକ ସହାୟତା ପ୍ରଦାନ କରି ସ୍ୱାବଲମ୍ବୀ କରାଯାଉ ବୋଲି ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ଗୁରୁବାର ଅପରାହ୍ଣରେ ସେ ଭୁବନେଶ୍ଵର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ଗତକାଲି ହୋଲିଡେ ହୋମ୍'ର ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ସେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦୁଇ ଲ୍ୟାନ୍ ବିଶିଷ୍ଟ ବାଇପାସ୍ ରାସ୍ତା, ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ପ୍ରଶକ୍ତୀକରଣ ପ୍ରକଳ୍ପ, ବାଇଦାପୋଷି ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେନ୍ଟର୍ (ଆଦିବାସୀ ସଂଗ୍ରହାଳୟ) ପାଇଁ ଶିଳାନ୍ୟାସ ଓ ବଡସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଆଭାଷୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।
ସମାରୋହରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଜି ସତ୍ୟବ୍ରତ ଭୋଇ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଦ୍ରୌପଦୀ ମୁର୍ମୁ ଜନ୍ମମାଟି ତଥା ନିଜମାଟିକୁ ଆସିଥିବାରୁ ମୟୂରଭଂଜର ଛୋଟପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଇଥିଲେ। ଶ୍ରୀମତୀ ମୁର୍ମୁ ମଧ୍ୟ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ।












Click it and Unblock the Notifications