ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; କାଲି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ରାଷ୍ଟ୍ରପତି । କାଲି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ରାଜଭବନରେ ବିଶ୍ରାମ ନେବେ ମହାମହିମ ।
ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ। ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ର୍ପୂବରୁ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ । ଚଳିତ ମାସରେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଓଡ଼ିଶା ଆସିଛନ୍ତି ।
ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଓ ବାଜାର ସହିତ ସ୍ବାଗତ କରାଯାଇଛି । ବିମାନମନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ରଘୁବର ଦାସ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୁଲିସ ଡିଜି ସୁନୀଲ ବଂଶଲ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କାଲି ସକାଳେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପାରାଦୀପ ଯିବେ । ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଉଦ୍ଘାଟନ କରିବେ । ପାରାଦୀପରୁ ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ।
ଏ ନେଇ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କାରକେଡ୍ ରିହର୍ସାଲ କରାଯାଇଥିଲା । ଏଥିରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।
ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସ୍ଥାନ ପର୍ଯ୍ୟନ୍ତ ମୁତୟନ ରହିବ ପୋଲିସ ଫୋର୍ସ । ସୂଚନା ଅନୁସାରେ, ଏସପିଙ୍କ ସମେତ ୫ କମାଣ୍ତାଣ୍ଟ ରାଙ୍କ ଅଫିସର, ୧୩ ଡିଏସପି ଏବଂ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେହିପରି ଆଜି ଗୋପବନ୍ଧୁ ଷ୍ଟାଡିୟମ ନିକଟସ୍ଥ ହେଲିପ୍ୟାଡରେ ମକଡ୍ରିଲ୍ କରାଯାଇଛି ।
ସୂଚନାଥାଉ ଯେ, ଗତ ୨୨ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିବା ସହ ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ । ବାଦାମପାହାଡ ରାଉରକେଲା ମେମୁ, ବାଦାମପାହାଡ- ରାଉରକେଲା ସାପ୍ତାହିକ ଓ ବାଦାମପାହାଡ-ସାଲିମାର ସାପ୍ତାହିକ ଟ୍ରେନର ଶୁଭାରମ୍ଭ କରିଥିଲେ ।












Click it and Unblock the Notifications