ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ମାଆଙ୍କୁ ମନେ ପକାଇଲେ ମହାମହିମ
ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ ବୋଲି ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଆୟୋଜିତ ‘ଜ୍ଞାନପ୍ରଭା ମିଶନ’ର ପ୍ରତିଷ୍ଠା ଦିବସ-୨୦୨୩ର ସମାରୋହରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଭୁବନେଶ୍ୱର: ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ ବୋଲି ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଆୟୋଜିତ 'ଜ୍ଞାନପ୍ରଭା ମିଶନ'ର ପ୍ରତିଷ୍ଠା ଦିବସ-୨୦୨୩ର ସମାରୋହରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସେ କହିଛନ୍ତି ଯେ, ଛତ୍ରପତି ଶିବାଜୀଙ୍କ ବୀରତ୍ୱ ଓ ସ୍ୱାଭିମାନ ପଛରେ ମାଆ ଜିଜାବାଈଙ୍କ ବିଶେଷ ଅବଦାନ ଥିଲା । ମାଆ ପୁତଲିବାଇଙ୍କ ପ୍ରେରଣାରେ ମାହାତ୍ମା ଗାନ୍ଧୀ ସାରା ଜୀବନ ସତ୍ୟ ଓ ଅହିଂସାର ମାର୍ଗରେ ଯାତ୍ରା କରିଥିଲେ । ସେହିପରି ମାଆ ପଦ୍ମାବତୀଙ୍କ ଦ୍ୱାରା ପ୍ରେରିତ ହୋଇ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କିମ୍ବଦନ୍ତୀ କୁହେ । ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ଯୋଗ ଜୀବନରେ ମାତା ଜ୍ଞାନପ୍ରଭାଙ୍କ ଆଶୀର୍ବାଦ ଥିଲା ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଧ୍ୟାତ୍ମିକତା ସହ ମାତୃଶକ୍ତିର ପ୍ରାସଙ୍ଗିକତାକୁ ଯୋଡା ନ ଗଲେ ସମାଜର ଉତ୍ଥାନ ଓ ଅଗ୍ରଗତି ଅସମ୍ଭବ । ସମସ୍ତ ବୈଜ୍ଞାନିକ ପ୍ରୟୋଗର ମୂଳ ପ୍ରୟୋଗଶାଳା ହେଉଛି ମାତୃଶକ୍ତି । ଜ୍ଞାନପ୍ରଭା ମିଶନର ମାତୃଶକ୍ତି ମାଧ୍ୟମରେ ସମାଜର ଉତଥାନ ଲକ୍ଷ୍ୟକୁ ଆମେ ସମସ୍ତେ ଓଡ଼ିଶାର ଗୋଟିଏ ମଡେଲ ଭାବେ ତିଆରି କରି ବିଶ୍ୱକୁ ପ୍ରଭାବିତ କରିବାର ଦାୟିତ୍ୱ ନେବା ଉଚିତ୍ ।
ଭାରତ ବିଶ୍ୱରେ ସବୁଠୁ ବଡ ଗଣତନ୍ତ୍ରର ଜନନୀ ଏବଂ ଏହି ପ୍ରଜାତନ୍ତ୍ରର ଦାୟିତ୍ୱ ନେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ମୁର୍ମୁ । ନିକଟରେ ସଂସଦର ବଜେଟ୍ ଅଧିବେଶନରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ 'ନାରୀଶକ୍ତି' କବିତାର ପଂକ୍ତି "ବସୁନ୍ଧରା ତଳେ ଭାରତରମଣୀ, ନୁହେଁ ହୀନ ନୁହେଁ ଦିନ, ଅମର କୀରତି କୋଟି ଯୁଗେ, କେଭେଁ ଜଗତୁଁ ନୋହିବ ଲୀନ" ଉଲ୍ଲେଖ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଏହା ଆମ ସମାଜର ପୃଷ୍ଠଭୂମିରେ ଅଛି । ରାଷ୍ଟ୍ରପତି ଭାବେ ଶପଥ ନେବା ସମୟରେ ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି, "ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" ଉଦୃତ କରିବା ଗୌରବର ବିଷୟ ବୋଲି କହିଥିଲେ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ସମାଜ ଯେ ପର୍ଯ୍ୟନ୍ତ ନିଜ ଦାୟିତ୍ୱ ନେବ ନାହିଁ, ସେ ପର୍ଯ୍ୟନ୍ତ ସମାଜରେ ଜାଗୃତି ଆଣିବା ଅସମ୍ଭବ । ଜ୍ଞାନପ୍ରଭା ମିଶନ ସେ ଭଳି ସମାଜ ଜାଗୃତିର ଅନନ୍ୟ ଜନଆନ୍ଦୋଳନ ରୂପ ନେଇ ସାରିଛି ।












Click it and Unblock the Notifications