ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଫେରିଛନ୍ତି । ସେ ସକାଳ ୯ଟା ବେଳେ ରାଜଭବନରୁ ବାହାରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ।
ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।
ଗତକାଲି ରାଷ୍ଟ୍ରପତି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିଥିଲେ ଏବଂ ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ।

କାଳିଆପଲ୍ଲୀ ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ସ୍ଥାନ ଏବଂ ଅଞ୍ଚଳର ବିକାଶରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ସାକାର ରୂପ ଦେବା ପାଇଁ ସମସ୍ତେ ଆଗକୁ ଆସିବା ଉଚିତ।
ରାଷ୍ଟ୍ରପତି କହିଥିଲେ, ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବିଶେଷତ୍ୱ। ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଦିବାସୀ ଭାଇ ଓ ଭଉଣୀମାନେ ଜଙ୍ଗଲ, ବୃକ୍ଷ ଆଦିକୁ ଦେବତା ଭାବେ ପୂଜା କରିଥାନ୍ତି। ଆଦିବାସୀଙ୍କ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି। ଏହି ବିଶ୍ୱାସ, ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର।
ଆଦିବାସୀ ଭାଇ ଓ ଭଉଣୀମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ସହିତ ସେମାନଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । କଲ୍ୟାଣମୂଳକ ଯୋଜନା ବିଷୟରେ ସଚେତନ ହେବା ଏବଂ ସେଗୁଡ଼ିକର ଲାଭ ଉଠାଇବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଲୋକମାନଙ୍କର ସହଯୋଗ ଏବଂ ଭାଗିଦାରୀ ଦ୍ୱାରା ସରକାରୀ ଯୋଜନାଗୁଡ଼ିକ ସଫଳ ହୋଇପାରିବ ।












Click it and Unblock the Notifications